ବ୍ୟବହାରକାରୀ:Snip1/ମାୟା
ଏହା ଏକ ଅଭିଧନ ଶୈଳିରେ ଲେଖାଯାଇନଥିଲା ବରଂ ଏକ "ଜ୍ଞାନକୋଷ" ଶୈଳିରେ ଲେଖାଯାଇଥିଲା; ଏହାକୁ ଓଡ଼ିଆ ଉଇକିପିଡ଼ିଆରେ ଲେଖାଯାଉ ।
ଲେଖାଟିକୁ ମାୟା ଶବ୍ଦରୁ ଅଣାଯାଇଅଛି ।
~ ମାୟା ଏକ ରହସ୍ୟାତ୍ମିକା ଶକ୍ତି ~
ଭାରତୀୟ ଆଧ୍ୟାତ୍ମିକ ସାହିତ୍ୟ ଯଥା - ବେଦ, ବେଦାନ୍ତ, ଗୀତା, ରାମାୟଣ, ମହାଭାରତ ଓ ଭାଗବତ ଇତ୍ୟାଦି ଶାସ୍ତ୍ରରେ "ମାୟା" ସ୍ୱରୂପର ବର୍ଣ୍ଣନା ଦେଖିବାକୁ ମିଳେ। ଋଗ୍ ବେଦରେ " ଇନ୍ଦ୍ରୋମାୟାଭିଃ ପୁରୁରୂପ ଈୟତେ " ବୋଲି କୁହାଯାଇଛି। ଏହାର ଅର୍ଥ ଏକ ଇନ୍ଦ୍ର ବହୁରୂପରେ ମାୟା ଶକ୍ତିଦ୍ୱାରା ପ୍ରକାଶିତ ହୁଅନ୍ତି। ସେ'ପରି ଶ୍ୱେତାଶ୍ୱତର ଉପନିଷଦରେ କୁହାଯାଉଛି ଯେ," ମାୟଂତୁ ପ୍ରକୃତିମ୍ ବିଦ୍ୟାତ୍ ମାୟିନଂତୁ ମହେଶ୍ୱରମ୍"। ଏ ମାୟା ଈଶ୍ବରଙ୍କ ଉପାଧି , ଏହାକୁ ନେଇ ଅକ୍ଷର ବ୍ରହ୍ମ ସୃଷ୍ଟି ସର୍ଜନା କରନ୍ତି। ପୁଣି ଭଗବଦ୍ ଗୀତାରେ ମଧ୍ୟ ଅନେକ ସ୍ଥାନରେ ମାୟାର ଉଲ୍ଲେଖ ଦେଖିବାକୁ ମିଳେ, ଯେପରି -
ଦୈବୀହ୍ୟେଷା ଗୁଣମୟୀମମ ମାୟା ଦୁରତ୍ୟୟା ।
ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ।।
ଏଠାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ , ମୋର ଦୈବୀ ତ୍ରିଗୁଣାତ୍ମିକା ମାୟା ଅତି ଦୁସ୍ତର ଅଟେ। ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି ସେ'ମାନେ ହିଁ ଏ ମାୟାରୁ ମୁକ୍ତିଲାଭ କରିପାରନ୍ତି। ସଂସ୍କୃତ ଶ୍ରୀମଦ୍ ଭାଗବତରେ ମାୟାକୁ ସଂସାର ସୃଷ୍ଟି ତଥା ସଂହାର କାରିଣୀ ଶକ୍ତିରୂପେ ଅଭିହିତ କରାଯାଉଛି - " ଏଷା ମାୟା ଭଗବତଃ ସର୍ବ ସ୍ଥିତ୍ୟନ୍ତକାରିଣୀ " ।
ଅଦ୍ଵୈତ ବେଦାନ୍ତ ଦର୍ଶନରେ ମାୟାର ବିଶେଷ ଭାବେ ବର୍ଣ୍ଣନା ଦେଖିବାକୁ ମିଳେ। ଏହି ଦର୍ଶନର ପ୍ରଚାରକ ଜଗତ୍ ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ମାୟାକୁ କିଛି ସ୍ଥାନରେ ଅନାଦି ଅବିଦ୍ୟା ଓ ଅବ୍ୟକ୍ତ ବୋଲି କହିଛନ୍ତି। ଶ୍ରୀଶଙ୍କର ସ୍ବରଚିତ ବିବେକଚୁଡ଼ାମଣି ଗ୍ରନ୍ଥରେ ମାୟାକୁ ଈଶ୍ବରଙ୍କର ତ୍ରିଗୁଣାତ୍ମିକା ଶକ୍ତି କହିବା ସହ ତା'ର କାର୍ଯ୍ୟରୁ ହିଁ ମାୟା ଅନୁମିତ ହେଇଥାଏ। ମାୟା ଉପାଧିଯୁକ୍ତ ହୋଇ ନିର୍ଗୁଣ ବ୍ରହ୍ମରୁ ସଗୁଣ ଈଶ୍ୱର ରୂପ ଧାରଣ କରନ୍ତି । ସେହି ଈଶ୍ୱର ହିଁ ସୃଷ୍ଟିକର୍ତ୍ତା ଅଟନ୍ତି ବୋଲି ଏପରି ଦର୍ଶାଇଛନ୍ତି -
ଅବ୍ୟକ୍ତ ନାମ୍ନୀ ପରମେଶଶକ୍ତିରନାଦ୍ୟ ଵିଦ୍ୟା ତ୍ରିଗୁଣାତ୍ମିକାପରା ।
କାର୍ଯ୍ୟାନୁମେୟା ସୁଧିୟୈବ ମାୟା ଜଗତ୍ ସର୍ବମିଦଂ ପ୍ରସୂୟତେ।।
ଏହି ମାୟା ସତ୍ ନୁହେଁ କି ଅସତ୍ ନୁହେଁ କିମ୍ବା ସତ୍, ଅସତ୍ ଯୁକ୍ତ ମଧ୍ୟ ନୁହେଁ ଏବଂ ସତ୍ ଓ ଅସତ୍ ଠାରୁ ଭିନ୍ନ ବି ନୁହେଁ। ଏଣୁ ମାୟାକୁ ଅନିର୍ବଚନୀୟ ଅଦ୍ଭୂତ ଶକ୍ତି ରୂପେ ବର୍ଣ୍ଣନା କରାଯାଇଅଛି। ପାରମାର୍ଥିକ ଦୃଷ୍ଟିରେ ମାୟା ଅନୃତ କିନ୍ତୁ ସଂସାରର ବ୍ୟାବହାରିକ ଦଶାରେ ଏହାର ସତ୍ତା ସ୍ପଷ୍ଟ ଅନୁଭୂତ ହୋଇଥାଏ। ଏହାର ଦୁଇଗୋଟି ଶକ୍ତି ରହିଛି । ଗୋଟିଏ ହେଉଛି ଆବରଣ ଶକ୍ତି ଓ ଅପରଟି ହେଲା ବିକ୍ଷେପ ଶକ୍ତି । ପ୍ରଥମ ଶକ୍ତି ଦ୍ୱାରା ସେ ବସ୍ତୁର ସ୍ୱରୂପକୁ ଢାଙ୍କି ଦେଇଥାଏ ଏବଂ ଦ୍ବିତୀୟ ଶକ୍ତି ଦ୍ୱାରା ବସ୍ତୁର ଭିନ୍ନ ଏକ ରୂପ ଦେଖାଇଥାଏ । ଏହି ମାୟା ଶକ୍ତିକୁ ଦୃଢ଼ିକରଣ କରିବାକୁ ଯାଇ ଅତିବଡ଼ି ଜଗନ୍ନାଥ ଦାସ ଆତ୍ମାକୁ ପ୍ରକାଶ ସହିତ ଏବଂ ମାୟାକୁ କୁହୁକ ଶକ୍ତି ବୋଲି ଅଭିହିତ କରିଛନ୍ତି । ଯେପରି ଜଣେ ଐନ୍ଦ୍ରଜାଲିକ ତାର ଶକ୍ତି ବଳରେ ପ୍ରକୃତ ବସ୍ତୁକୁ ଅନ୍ୟ ଏକ ରୂପରେ ରୂପାନ୍ତରିତ କରେ ଠିକ୍ ସେପରି ମାୟା ମଧ୍ଯ ଅସତ୍ୟକୁ ସତ୍ୟ ଭଳି ପ୍ରତିଭାସିତ କରିଥାଏ ।
ସାଧାରଣତଃ ମାୟା ଏକ ରହସ୍ୟାତ୍ମିକା ଶକ୍ତି। ଯାହାର ସମ୍ମୋହନ ଶକ୍ତି ବଳରେ ଦେବ,ଦାନବ ଓ ମାନବ ମାନଙ୍କୁ ସମ୍ମୋହିତ କରିଥାଏ। ତାହାର ଐନ୍ଦ୍ରଜାଲିକ କ୍ଷମତା ବଳରେ ମୃଗତୃଷ୍ଣାର ଭ୍ରମ ସୃଷ୍ଟି କରି ମାନସକୁ ବିଭ୍ରମିତ କରିନିଏ। ଏହି ମାୟାର ଶକ୍ତିକୁ ଗୋଚର କରିବାକୁ ଯାଇ ଓଡ଼ିଆ ଭାଗବତରେ ଭାଗବତକାର କହିଛନ୍ତି ଯେ,
" ମାୟାରେ ଭ୍ରମାଏ ଏ ଜଗତ । ଲୌହକୁ ଯେହ୍ନେ ଅୟସ୍କାନ୍ତ ।। "
ଯେପରି ଅୟସ୍କାନ୍ତ ବା ଚୁମ୍ବକର ଶକ୍ତି ଦ୍ୱାରା ଲୌହ ଆକର୍ଷିତ ହୋଇଯାଏ ସେପରି ଅଜ୍ଞାନ ଜୀବ ଅଳିକ ସଂସାରର ଶବ୍ଦ,ସ୍ପର୍ଶ, ରୂପ, ରସ ଓ ଗନ୍ଧ ପଞ୍ଚ ତନ୍ମାତ୍ରାଦି ଆକୃଷ୍ଟ ହୋଇ ଦୁଃଖ ପାଇଥାଏ ।
ଏହି ମାୟାକୁ ମାୟାଧର ଭଗବାନ ଏ'ପରି ରଚନା କରିଛନ୍ତି ଯେ, ସେ ମନକୁ ବିଷୟ ରସରେ ବିଭ୍ରମିତ କରିଦେଇଥାଏ। ଯଦ୍ଦ୍ଵାରା ସାଧାରଣ ଜୀବ ତା'ର ସତ୍ ସ୍ଵରୂପକୁ ଭୁଲି ଅନିତ୍ୟ ସଂସାରକୁ ନିତ୍ୟ ବୋଲି ମଣିଥାଏ। ଏଥି ଯୋଗୁଁ ସେ ଭ୍ରମରେ ଭ୍ରମିତ ହୋଇ ମାୟାର ବଶବର୍ତ୍ତୀ ହୋଇଯାଏ। ଏହି କାରଣରୁ ମାୟା ଜୀବକୁ ଯେପରି ନଚାଏ ଜୀବ ସେପରି ନୃତ୍ୟ କରିଥାଏ। ଏହାକୁ ସ୍ପଷ୍ଟ କରିବାକୁ ଯାଇ ଲେଖକ ତଥା ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ ସ୍ୱକୀୟ କବିତା ମାଧ୍ୟମରେ କହିଛନ୍ତି ଯେ -
ମାନସ ଭ୍ରମର ମାୟା ରସେ ରସି ସଂସାରେ ସାଜିଛୁ ଭୃତ୍ୟ
ଭ୍ରମରେ ଭ୍ରମିତ ଭ୍ରମଣ କରୁତୁ ଭଳି ଭଳି କରୁ ନୃତ୍ୟ।।
ପୁନର୍ବାର ଅନ୍ୟ ଏକ କବିତାରେ ଲେଖିଛନ୍ତି ଯେ -
ମାୟା ମରୀଚିକା ରଚିଚ ହେ ! ସଖା ଦିଶେ କେଡେ ମନୋହର
ମନ ମୋ'ର ଯାଏ ସାଥେ ତନୁ ନିଏ କ୍ଷିତି ଲାଗେ ସ୍ୱର୍ଗପୁର ।।
ରୂପ ରସ ଦେଖି ମନ ଯାଏ ଲାଖି ମାନସ ମେଲାଏ ପକ୍ଷ
ପୁଷ୍ପେ ପୁଷ୍ପେ ଘୂରେ ରସ ପାନକରେ ମେଣ୍ଟେ ନାହିଁ କେବେ ଭୋକ ।।
ଏ ମାୟା ଶକ୍ତି କେବଳ ମାନସକୁ ହରଣ କରିନଥାଏ; ଅପିତୁ ମନ ସହ ତନୁକୁ ମଧ୍ୟ ଆକର୍ଷିତ କରିନିଏ । ଏହି ମାୟାରୂପି ଅଳିକ ଜଗତକୁ ଯେତେ ଭୋଗକଲେ ବି ମନୁଷ୍ୟକୁ ତୃପତା ମିଳେନାହିଁ। କେବଳ ହିଁ କେବଳ ଦୁଃଖ ଓ ଯନ୍ତ୍ରଣା ପ୍ରାପ୍ତ ହୋଇଥାଏ। ଏଣୁ ଏହି ମାୟାକୁ ନିଷ୍ପ୍ରଭ କରିବାକୁ ହେଲେ, ଆଧ୍ୟାତ୍ମିକ ଜ୍ଞାନ ମାର୍ଗ କିମ୍ବା ଶରଣାଗତ ଭକ୍ତି ଦ୍ୱାରାରେ ହିଁ ବିଜୟ ଲାଭ କରିହେବ।