କୁଦାନଗରୀ

ଉଇକିଅଭିଧାନ‌ରୁ

କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ଏକ ପବିତ୍ର ତୀର୍ଥକ୍ଷେତ୍ର | ଏହା ଗୁପ୍ତ ନୈମିଷାରଣ୍ୟ ଭାବେ ପ୍ରସିଦ୍ଧ | ଏଠାରେ ମହାମୁନି ଶୁକ ଏବଂ ରାଜା ପରିକ୍ଷିତଙ୍କ ଗାଦି ରହିଛି | ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀତଟସ୍ଥ କୁଦାନଗରୀ ଏମିତି ଏକ କ୍ଷେତ୍ର ଯାହାକି ନୈମିଷାରଣ୍ୟ ନାମରେ ଖ୍ୟାତ । ପୂଣ୍ୟତୋୟା ଚିତ୍ରୋତ୍ପଳାର ପବିତ୍ର ଜଳରେ ସ୍ନାନକରି ଭକ୍ତଗଣ ନୈମିଷାରଣ୍ୟ କୁଦାନଗରୀରେ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରନ୍ତି ଓ ସ୍ୱମାନବ ଶରୀରର ମୁକ୍ତି କାମନା କରିଥାନ୍ତି । ଭୌଗୋଳିକ ଦୃଷ୍ଟିରୁ ଚିତ୍ରୋତ୍ପଳା ନଦୀଟି ମହାନଦୀର ଏକ ଶାଖାନଦୀ ହୋଇଥିବା ବେଳେ ଏହାର ପ୍ରାଚୀନତା ଶାସ୍ତ୍ର ସମ୍ମତ । ପୁରାଣରେ ମହାନଦୀର ଅନ୍ୟନାମ ଚିତ୍ରୋତ୍ପଳା । ବହୁ ପ୍ରାଚୀନକାଳରୁ ଏହି ନଦୀକୂଳରେ ମୁନିଋଷିମାନେ ଆଶ୍ରମ ପ୍ରତିଷ୍ଠା କରି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର ମହାତ୍ମ୍ୟକୁ ଆହୁରି ବଢାଇ ଦେଇଛନ୍ତି । ତେଣୁ ଚିତ୍ରୋତ୍ପଳା ନଦୀକୂଳରେ ପ୍ରତିବାଙ୍କରେ ବହୁସଂଖ୍ୟକ ତୀର୍ଥସ୍ଥାନ ସୃଷ୍ଟି ହୋଇ ଚିତ୍ରୋତ୍ପଳା ନଦୀର ମହାତ୍ମ୍ୟକୁ ଦର୍ଶାଇଛନ୍ତି । କୁଦାନଗରୀ ଚିତ୍ରୋତ୍ପଳାତୀରସ୍ଥ ସେମିତି ଏକ ପବିତ୍ର ତୀର୍ଥକ୍ଷେତ୍ର ଯେଉଁଠାକୁ ଶହ ଶହ ତୀର୍ଥଯାତ୍ରୀ ଆସି ନିଜର ମୁକ୍ତିକାମନା କରିଥାନ୍ତି । କୁଦାନଗରୀ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଉତ୍ସବାନୁଷ୍ଠାନ ମ୍ମରେ ମାଘମେଳା ସର୍ବଶ୍ରେଷ୍ଠ ଉତ୍ସବ । ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀରେ ମାଘସପ୍ତମୀ ଦିବସର ପ୍ରତ୍ୟୁଷରୁ ସ୍ନାନସାରି ସୂର୍ଯ୍ୟନାରାୟରଣଙ୍କୁ ଦର୍ଶନ କରିବା ଓ ନୈମିଷାରଣ୍ୟକ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଦେବାଦେବୀଙ୍କ ଦର୍ଶନ, ପୂଜନ କରିବା ଲାଗି ଭକ୍ତମାନଙ୍କର ଭିଡ ହୋଇଥାଏ । ମାଘ ଶୁକ୍ଳ ଷଷ୍ଠୀ ଦିବସରୁ ଆରମ୍ଭ ହୋଇ ଏହି ମେଳା ସାତ ଦିନ ଧରି ଚାଲିଥାଏ । ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମଣିଷ ଜାତି ଏକ ବୋଲି ମାଘମେଳା ଦର୍ଶାଇଥାଏ ଓ ଆର୍ଯ୍ୟ ସଂସ୍କୃତିର ମୂଳଲକ୍ଷ୍ୟକୁ ପୂରଣ କରିଥାଏ । ମହାନଦର ଅନ୍ୟନାମ ଚିତ୍ରୋତ୍ପଳା । ଚିତ୍ରୋତ୍ପଳା ନଦୀ ଗଙ୍ଗାଠାରୁ ଶହେବର୍ଷ ବଡ ବୋଲି ମୁନିଋଷିମାନେ ମତ ଦେଇଛନ୍ତି । ଏହି ପୁଣ୍ୟ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ଭିତରେ ଥିବା ଦେବତ୍ୱ ପ୍ରକାଶିତ ହେବାର ଆଶାରେ ଏହି ସ୍ନାନ ପାଳିତ ହୋଇଆସୁଅଛି । ସାରଳା ମହାଭାରତରୁ ଜଣାଯାଏ, ମାଘ ସପ୍ତମୀରେ ସ୍ନାନ କରି ବୃହସ୍ପତି ତ୍ରିକାଳଦର୍ଶୀ ହୋଇଥିଲେ, ବରୁଣ ଅଥଳ ସାଗରରେ ସର୍ବମୟ କର୍ତ୍ତା ହୋଇଥିଲେ । ସୂର୍ଯ୍ୟଦେବ ଦିବା ଭାଗରେ ଆଲୋକ ବିକିରଣ କରି ପୃଥିବୀ ବାସୀଙ୍କ ଶ୍ରଦ୍ଧା ଭାଜନ ହୋଇଥିଲେ । ବାସୁକୀ ବସୁନ୍ଧରା ଧାରଣ କରିବାକୁ ସଫଳ ହୋଇିଥିଲେ, ସାରଳା ଦାସ ତାଙ୍କର ମହାଭାରତରେ ଗଦା ପର୍ବରେ ଏହି ତୀର୍ଥର ବୈଶିଷ୍ଟ୍ୟ ପ୍ରଖ୍ୟାପନ ପୂର୍ବକ ଉତ୍କଳୀୟ ଜନଜୀବନ ଓ ଏହାର ସଂସ୍କୃତି ପରମ୍ପରା ସହିତ ମାଘ ସପ୍ତମୀ ସ୍ନାନକୁ ଏକକାର କରି ସମଗ୍ର ଉତ୍କଳୀୟ ଜନତାଙ୍କୁ ଏହି ପର୍ବ ପାଳନର ମହତ୍ତ୍ୱ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା, ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମ ପଞ୍ଚାୟତର ପୂର୍ଣ୍ଣ୍ୟତୋୟା ଚିତ୍ରୋତ୍ପଳା ନଦୀର ବାମ ପାଶ୍ୱର୍ରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ନୈମିଷାରଣ୍ୟ ପ୍ରାଚୀନ ଧର୍ମପୀଠ କୁଦାନଗରୀ, ଏହା ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ।  କଟକ- କେନ୍ଦ୍ରାପଡ଼ା ରାଜ୍ୟ ରାଜପଥର ଅସୁରେଶ୍ୱର ଛକଠାରୁ ନରେନ୍ଦ୍ରପୁର ରାସ୍ତାରେ ଆସିଲେ କୋରୁଆ ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ପଡ଼େ କୁଦାନଗରୀ ପୀଠ । ସେହିପରି କଟକ ପାରାଦ୍ୱୀପ ରାଜ୍ୟ ରାଜପଥରୁ ତାରପୁରଠାରୁ ବିଲହାଟ ଦେଇ ନରେନ୍ଦ୍ରପୁର ଠାରୁ  କୋରୁଆ ଆସିଲେ କୁଦାନଗରୀ ପୀଠରେ  ପହଞ୍ଚିବ । କେନ୍ଦୁପାଟଣାଠାରୁ ନେମାଳ ରାସ୍ତାରେ କୋରୁଆ ଆସିଲେ, କୁଦାନଗରୀ ପଡ଼େ । ପ୍ରାୟ ପାଞ୍ଚ ଏକର ପରିମିତ ପ୍ରାକୃତିକ ପରିବେଶ ପରିବେଷ୍ଟିତ ବିସ୍ତୀର୍ଣ୍ଣ ବାଲୁକା ପର୍ବତ ଉପରେ ଶୁକମୁନୀ ଓ ପରିକ୍ଷୀତ ମହାରାଜଙ୍କ ଗାଦି, ଏତଦ୍ ବ୍ୟତୀତ ବାବାବଳିଆଙ୍କ ଅନନ୍ତ ଆଶ୍ରମ, ଅନନ୍ତେଶ୍ୱର ମହାଦେବ, ଶ୍ରୀ ରାଧାକୃଷ୍ଣ, ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ହନୁମାନ ମନ୍ଦିର, ଭାଗବତ ଗାଦି, ଦେବର୍ଷୀ ନାରଦ, ବ୍ୟାସଦେବ, ବାବା ଆଖଣ୍ଡଳମଣୀ, ବାଉରୀବଟ ଗୋସ୍ୱାଇଁ, ଆକୁଳି ବାବା ଆଶ୍ରମ, ମାଆ କଞ୍ଚିଳେଇ ଠାକୁୁରାଣୀ, ମାଆ ଦକ୍ଷିଣେଶ୍ୱରୀ କାଳୀ, ଦଶମହାମାୟା ମନ୍ଦିର, ଶନିମନ୍ଦିର ତଥା ଅନେକ ସିଦ୍ଧ ପୁରୁଷ ମାନଙ୍କର ସମାଧୀପୀଠ ସମେତ ଭଗବାନ ଶ୍ରୀ ସତ୍ୟସାଇ ବାବଙ୍କ ଭଜନ ମଣ୍ଡଳୀ ଓ ସେବାସଂଘ ତଥା ଅନେକ ସିଦ୍ଧ ପୁରୁଷ ମାନଙ୍କର ସମାଧୀ ପୀଠ ଏହି ସ୍ଥାନର ମହତ୍ତ୍ୱ ବୃଦ୍ଧି କରିଅଛି । ଅରଖକୁଦ ଗ୍ରାମର ବୈଷ୍ଣବ ଓ ଆଖପାଖର ବ୍ରାହ୍ମଣମାନେ ମହାପୁରୁଷ ଓ ଦେବ ଦେବୀଙ୍କ ପୂଜକ ।
ସରକାର ଏବେ ଯଦିଓ ଏହି କୁଦାନଗରୀ ପୀଠକୁ ଗୋଟିଏ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛନ୍ତି ତଥାପି ଏହା ଏବେ ବି ଅବହେଳିତ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଠାରେ ପର୍ଯ୍ୟଟକ ବିଶ୍ରାମ ଲାଗି ଘର ନାହିଁ । ପାନୀୟ ଜଳର ସୁବିଧା ନାହିଁ, ପର୍ଯ୍ୟଟକଙ୍କ ଭୋଜି ଖାଇବାକୁ ମଣ୍ଡପର ବ୍ୟବସ୍ଥା ନାହିଁ, ଶହ ଶହ ଚାରିଚକିଆ ଯାନ ଆସୁଥିବାରୁ ପାର୍କିଙ୍ଗ ସ୍ଥାନର ସୁବିଧା ନାହିଁ । ପୀଠର ରାସ୍ତା ଗୁଡ଼ିକ କଚାରାସ୍ତା, ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟାର ସମୁଖିନ ହେଉଥିବାର ଦେଖାଯାଏ । ତେବେ ଏହି ପୀଠରେ ଅର୍ଦ୍ଧନିର୍ମିତ ବିଭିନ୍ନ ମଠ ମନ୍ଦିରର ପୁର୍ଣ୍ଣାଙ୍ଗ କାର୍ଯ୍ୟ, ଅବକ୍ଷୟ ମୁଖି ମଠ ମନ୍ଦିରର ସୁରକ୍ଷା, ନୈମିଷାରଣ୍ୟରେ ଅଧିକରୁ ଅଧିକ ଔଷଧୀୟ ବୃକ୍ଷ ରୋପଣ ସହ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଅଳିଆ ଆବର୍ଜନା ପଡ଼ିବା ପାଇଁ ଡଷ୍ଟବିନ୍‌ର ବ୍ୟବସ୍ଥା, ଅତିଥି ଶାଳା, ଭୋଜନ ମଣ୍ଡପ, ଢଳାଇ ରାସ୍ତା, ଆଲୋକପ୍ରଦାନ, ଏଥି ସହିତ ସ୍ୱର୍ଗଦ୍ୱାରର ଉନ୍ନତି, କୁଦାନଗରୀର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଦାବି ହୋଇଆସୁଛି । ଉପରୋକ୍ତ ଦାବୀଗୁଡ଼ିକ ପ୍ରତି ସରକାର ଦୃଷ୍ଟି ଦେଲେ ଏହି ପୀଠରେ ଉନ୍ନତି ହୋଇପାରିବ ।