ମାୟା
ଏହି ଶବ୍ଦର କିଛି ଅଂଶ ଅଭିଧାନ ଶୈଳିରେ ଲେଖାଯାଇନାହିଁ ବରଂ ଏକ "ଜ୍ଞାନକୋଷ" ଶୈଳିରେ ଲେଖାଯାଇଅଛି; ଏହାକୁ ଓଡ଼ିଆ ଉଇକିପିଡ଼ିଆରେ ଲେଖାଯାଉ ।
~ ମାୟା ଏକ ରହସ୍ୟାତ୍ମିକା ଶକ୍ତି ~
ଭାରତୀୟ ଆଧ୍ୟାତ୍ମିକ ସାହିତ୍ୟ ଯଥା - ବେଦ, ବେଦାନ୍ତ, ଗୀତା, ରାମାୟଣ, ମହାଭାରତ ଓ ଭାଗବତ ଇତ୍ୟାଦି ଶାସ୍ତ୍ରରେ "ମାୟା" ସ୍ୱରୂପର ବର୍ଣ୍ଣନା ଦେଖିବାକୁ ମିଳେ। ଋଗ୍ ବେଦରେ " ଇନ୍ଦ୍ରୋମାୟାଭିଃ ପୁରୁରୂପ ଈୟତେ " ବୋଲି କୁହାଯାଇଛି। ଏହାର ଅର୍ଥ ଏକ ଇନ୍ଦ୍ର ବହୁରୂପରେ ମାୟା ଶକ୍ତିଦ୍ୱାରା ପ୍ରକାଶିତ ହୁଅନ୍ତି। ସେ'ପରି ଶ୍ୱେତାଶ୍ୱତର ଉପନିଷଦରେ କୁହାଯାଉଛି ଯେ," ମାୟଂତୁ ପ୍ରକୃତିମ୍ ବିଦ୍ୟାତ୍ ମାୟିନଂତୁ ମହେଶ୍ୱରମ୍"। ଏ ମାୟା ଈଶ୍ବରଙ୍କ ଉପାଧି , ଏହାକୁ ନେଇ ଅକ୍ଷର ବ୍ରହ୍ମ ସୃଷ୍ଟି ସର୍ଜନା କରନ୍ତି। ପୁଣି ଭଗବଦ୍ ଗୀତାରେ ମଧ୍ୟ ଅନେକ ସ୍ଥାନରେ ମାୟାର ଉଲ୍ଲେଖ ଦେଖିବାକୁ ମିଳେ, ଯେପରି -
ଦୈବୀହ୍ୟେଷା ଗୁଣମୟୀମମ ମାୟା ଦୁରତ୍ୟୟା ।
ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ।।
ଏଠାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ , ମୋର ଦୈବୀ ତ୍ରିଗୁଣାତ୍ମିକା ମାୟା ଅତି ଦୁସ୍ତର ଅଟେ। ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି ସେ'ମାନେ ହିଁ ଏ ମାୟାରୁ ମୁକ୍ତିଲାଭ କରିପାରନ୍ତି। ସଂସ୍କୃତ ଶ୍ରୀମଦ୍ ଭାଗବତରେ ମାୟାକୁ ସଂସାର ସୃଷ୍ଟି ତଥା ସଂହାର କାରିଣୀ ଶକ୍ତିରୂପେ ଅଭିହିତ କରାଯାଉଛି - " ଏଷା ମାୟା ଭଗବତଃ ସର୍ବ ସ୍ଥିତ୍ୟନ୍ତକାରିଣୀ " ।
ଅଦ୍ଵୈତ ବେଦାନ୍ତ ଦର୍ଶନରେ ମାୟାର ବିଶେଷ ଭାବେ ବର୍ଣ୍ଣନା ଦେଖିବାକୁ ମିଳେ। ଏହି ଦର୍ଶନର ପ୍ରଚାରକ ଜଗତ୍ ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ମାୟାକୁ କିଛି ସ୍ଥାନରେ ଅନାଦି ଅବିଦ୍ୟା ଓ ଅବ୍ୟକ୍ତ ବୋଲି କହିଛନ୍ତି। ଶ୍ରୀଶଙ୍କର ସ୍ବରଚିତ ବିବେକଚୁଡ଼ାମଣି ଗ୍ରନ୍ଥରେ ମାୟାକୁ ଈଶ୍ବରଙ୍କର ତ୍ରିଗୁଣାତ୍ମିକା ଶକ୍ତି କହିବା ସହ ତା'ର କାର୍ଯ୍ୟରୁ ହିଁ ମାୟା ଅନୁମିତ ହେଇଥାଏ। ମାୟା ଉପାଧିଯୁକ୍ତ ହୋଇ ନିର୍ଗୁଣ ବ୍ରହ୍ମରୁ ସଗୁଣ ଈଶ୍ୱର ରୂପ ଧାରଣ କରନ୍ତି । ସେହି ଈଶ୍ୱର ହିଁ ସୃଷ୍ଟିକର୍ତ୍ତା ଅଟନ୍ତି ବୋଲି ଏପରି ଦର୍ଶାଇଛନ୍ତି -
ଅବ୍ୟକ୍ତ ନାମ୍ନୀ ପରମେଶଶକ୍ତିରନାଦ୍ୟ ଵିଦ୍ୟା ତ୍ରିଗୁଣାତ୍ମିକାପରା ।
କାର୍ଯ୍ୟାନୁମେୟା ସୁଧିୟୈବ ମାୟା ଜଗତ୍ ସର୍ବମିଦଂ ପ୍ରସୂୟତେ।।
ଏହି ମାୟା ସତ୍ ନୁହେଁ କି ଅସତ୍ ନୁହେଁ କିମ୍ବା ସତ୍, ଅସତ୍ ଯୁକ୍ତ ମଧ୍ୟ ନୁହେଁ ଏବଂ ସତ୍ ଓ ଅସତ୍ ଠାରୁ ଭିନ୍ନ ବି ନୁହେଁ। ଏଣୁ ମାୟାକୁ ଅନିର୍ବଚନୀୟ ଅଦ୍ଭୂତ ଶକ୍ତି ରୂପେ ବର୍ଣ୍ଣନା କରାଯାଇଅଛି। ପାରମାର୍ଥିକ ଦୃଷ୍ଟିରେ ମାୟା ଅନୃତ କିନ୍ତୁ ସଂସାରର ବ୍ୟାବହାରିକ ଦଶାରେ ଏହାର ସତ୍ତା ସ୍ପଷ୍ଟ ଅନୁଭୂତ ହୋଇଥାଏ। ଏହାର ଦୁଇଗୋଟି ଶକ୍ତି ରହିଛି । ଗୋଟିଏ ହେଉଛି ଆବରଣ ଶକ୍ତି ଓ ଅପରଟି ହେଲା ବିକ୍ଷେପ ଶକ୍ତି । ପ୍ରଥମ ଶକ୍ତି ଦ୍ୱାରା ସେ ବସ୍ତୁର ସ୍ୱରୂପକୁ ଢାଙ୍କି ଦେଇଥାଏ ଏବଂ ଦ୍ବିତୀୟ ଶକ୍ତି ଦ୍ୱାରା ବସ୍ତୁର ଭିନ୍ନ ଏକ ରୂପ ଦେଖାଇଥାଏ । ଏହି ମାୟା ଶକ୍ତିକୁ ଦୃଢ଼ିକରଣ କରିବାକୁ ଯାଇ ଅତିବଡ଼ି ଜଗନ୍ନାଥ ଦାସ ଆତ୍ମାକୁ ପ୍ରକାଶ ସହିତ ଏବଂ ମାୟାକୁ କୁହୁକ ଶକ୍ତି ବୋଲି ଅଭିହିତ କରିଛନ୍ତି । ଯେପରି ଜଣେ ଐନ୍ଦ୍ରଜାଲିକ ତାର ଶକ୍ତି ବଳରେ ପ୍ରକୃତ ବସ୍ତୁକୁ ଅନ୍ୟ ଏକ ରୂପରେ ରୂପାନ୍ତରିତ କରେ ଠିକ୍ ସେପରି ମାୟା ମଧ୍ଯ ଅସତ୍ୟକୁ ସତ୍ୟ ଭଳି ପ୍ରତିଭାସିତ କରିଥାଏ ।
ସାଧାରଣତଃ ମାୟା ଏକ ରହସ୍ୟାତ୍ମିକା ଶକ୍ତି। ଯାହାର ସମ୍ମୋହନ ଶକ୍ତି ବଳରେ ଦେବ,ଦାନବ ଓ ମାନବ ମାନଙ୍କୁ ସମ୍ମୋହିତ କରିଥାଏ। ତାହାର ଐନ୍ଦ୍ରଜାଲିକ କ୍ଷମତା ବଳରେ ମୃଗତୃଷ୍ଣାର ଭ୍ରମ ସୃଷ୍ଟି କରି ମାନସକୁ ବିଭ୍ରମିତ କରିନିଏ। ଏହି ମାୟାର ଶକ୍ତିକୁ ଗୋଚର କରିବାକୁ ଯାଇ ଓଡ଼ିଆ ଭାଗବତରେ ଭାଗବତକାର କହିଛନ୍ତି ଯେ,
" ମାୟାରେ ଭ୍ରମାଏ ଏ ଜଗତ । ଲୌହକୁ ଯେହ୍ନେ ଅୟସ୍କାନ୍ତ ।। "
ଯେପରି ଅୟସ୍କାନ୍ତ ବା ଚୁମ୍ବକର ଶକ୍ତି ଦ୍ୱାରା ଲୌହ ଆକର୍ଷିତ ହୋଇଯାଏ ସେପରି ଅଜ୍ଞାନ ଜୀବ ଅଳିକ ସଂସାରର ଶବ୍ଦ,ସ୍ପର୍ଶ, ରୂପ, ରସ ଓ ଗନ୍ଧ ପଞ୍ଚ ତନ୍ମାତ୍ରାଦି ଆକୃଷ୍ଟ ହୋଇ ଦୁଃଖ ପାଇଥାଏ ।
ଏହି ମାୟାକୁ ମାୟାଧର ଭଗବାନ ଏ'ପରି ରଚନା କରିଛନ୍ତି ଯେ, ସେ ମନକୁ ବିଷୟ ରସରେ ବିଭ୍ରମିତ କରିଦେଇଥାଏ। ଯଦ୍ଦ୍ଵାରା ସାଧାରଣ ଜୀବ ତା'ର ସତ୍ ସ୍ଵରୂପକୁ ଭୁଲି ଅନିତ୍ୟ ସଂସାରକୁ ନିତ୍ୟ ବୋଲି ମଣିଥାଏ। ଏଥି ଯୋଗୁଁ ସେ ଭ୍ରମରେ ଭ୍ରମିତ ହୋଇ ମାୟାର ବଶବର୍ତ୍ତୀ ହୋଇଯାଏ। ଏହି କାରଣରୁ ମାୟା ଜୀବକୁ ଯେପରି ନଚାଏ ଜୀବ ସେପରି ନୃତ୍ୟ କରିଥାଏ। ଏହାକୁ ସ୍ପଷ୍ଟ କରିବାକୁ ଯାଇ ଲେଖକ ତଥା ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ ସ୍ୱକୀୟ କବିତା ମାଧ୍ୟମରେ କହିଛନ୍ତି ଯେ -
ମାନସ ଭ୍ରମର ମାୟା ରସେ ରସି ସଂସାରେ ସାଜିଛୁ ଭୃତ୍ୟ
ଭ୍ରମରେ ଭ୍ରମିତ ଭ୍ରମଣ କରୁତୁ ଭଳି ଭଳି କରୁ ନୃତ୍ୟ।।
ପୁନର୍ବାର ଅନ୍ୟ ଏକ କବିତାରେ ଲେଖିଛନ୍ତି ଯେ -
ମାୟା ମରୀଚିକା ରଚିଚ ହେ ! ସଖା ଦିଶେ କେଡେ ମନୋହର
ମନ ମୋ'ର ଯାଏ ସାଥେ ତନୁ ନିଏ କ୍ଷିତି ଲାଗେ ସ୍ୱର୍ଗପୁର ।।
ରୂପ ରସ ଦେଖି ମନ ଯାଏ ଲାଖି ମାନସ ମେଲାଏ ପକ୍ଷ
ପୁଷ୍ପେ ପୁଷ୍ପେ ଘୂରେ ରସ ପାନକରେ ମେଣ୍ଟେ ନାହିଁ କେବେ ଭୋକ ।।
ଏ ମାୟା ଶକ୍ତି କେବଳ ମାନସକୁ ହରଣ କରିନଥାଏ; ଅପିତୁ ମନ ସହ ତନୁକୁ ମଧ୍ୟ ଆକର୍ଷିତ କରିନିଏ । ଏହି ମାୟାରୂପି ଅଳିକ ଜଗତକୁ ଯେତେ ଭୋଗକଲେ ବି ମନୁଷ୍ୟକୁ ତୃପତା ମିଳେନାହିଁ। କେବଳ ହିଁ କେବଳ ଦୁଃଖ ଓ ଯନ୍ତ୍ରଣା ପ୍ରାପ୍ତ ହୋଇଥାଏ। ଏଣୁ ଏହି ମାୟାକୁ ନିଷ୍ପ୍ରଭ କରିବାକୁ ହେଲେ, ଆଧ୍ୟାତ୍ମିକ ଜ୍ଞାନ ମାର୍ଗ କିମ୍ବା ଶରଣାଗତ ଭକ୍ତି ଦ୍ୱାରାରେ ହିଁ ବିଜୟ ଲାଭ କରିହେବ।
ମାୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହାଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି)
[ସମ୍ପାଦନା]- ୧. (ବେଦାନ୍ତ) ଅବିଦ୍ୟା; ବିସଦୃଶ ପ୍ରତୀତ ସାଧନ; ଯେଉଁ ଗୁଣଦ୍ୱାରା ପ୍ରକୃତ ବିଷୟ ଅନ୍ୟରୂପେ ଦେଖାଯାଏ; ମିଥ୍ୟା ଜ୍ଞାନ; ଭ୍ରାନ୍ତି; ମୋହ; ଅବିଦ୍ୟା —୧. Unreality; illusion; delusion; idealism.
[ଦ୍ରଷ୍ଟବ୍ୟ — ବେଦାନ୍ତ ଦର୍ଶନ ମତରେ ଏହି ଜଗତ୍ ଅବାସ୍ତବ ଓ ଅନିତ୍ୟ ଅଟେ ଓ ପରମେଶ୍ୱର ବାସ୍ତବ ଓ ନିତ୍ୟ ଅଟନ୍ତି ଯେଉଁ ମିଥ୍ୟା ପ୍ରତୀତି ଯୋଗୁଁ ଜଗତକୁ ବାସ୍ତବ ଓ ନିତ୍ୟ ବୋଲି ମନୁଷ୍ୟ ଭ୍ରମ କରେ ତାହାର ନାମ ମାୟା]
ଈଶ୍ୱର ଆପଣାର ମାୟା ବା ଅବିଦ୍ୟା ରୁପ ଶକ୍ତିଦ୍ୱାରା ଏ ପୃଥିବୀକୁ ସୃଷ୍ଟି କରିଅଛନ୍ତି; ଏଥିପାଇଁ ଶକ୍ତି ଦୁର୍ଗାଙ୍କୁ ମହାମାୟା ଆଖ୍ୟା ଦିଆ ଯାଇଅଛି]
- ୨. କୁହୁକ; ଇନ୍ଦ୍ରଜାଲ — ୨. Magic; jugglery; sorcery.
- ୩. ଆସକ୍ତି; ମମତା; ସ୍ନେହ — ୩. Attachment; affection; love.
- ୪. ଛଳ; ଶଠତା; କପଟତା —୪. Deceit; hypocricy.
- ୫. ଆଖିରେ ଦେଖାଯିବା ଅବାସ୍ତବ ମୂର୍ତ୍ତି (ଯଥା—ଭୁତ) —୫. An illusory image; phantom (Apte).
- ୬. ରାଜନୀତିକ ଚାଲ — ୬. A political trick; diplomatic feat (Apte).
- ୭. ଗୟା ନଗରର ଏକ ନାମ —୭. A name of the city of Gaya (Apte).
- ୮. ଦୁଷ୍ଟତା ଖଳତା —୮. Wickedness (Apte).
- ୯. ଶୈବ; ମତ ଅନୁସାରେ ମନୁଷ୍ୟକୁ ଘେରିବା ୪ଟି ସାଂସାରିକ ପାଶ ମଧ୍ୟରୁ ଗୋଟିଏ —୯. One of the four worldly snares which beset mankind (according to the S&aline;i̱bas) (Apte).
- ୧. ପୁରୁଷଠାରୁ ଭିନ୍ନ ପ୍ରକୃତି — ୧୦. The Nature, as distinct from God.
[ଦ୍ରଷ୍ଟବ୍ୟ — ଈଶ୍ୱରଙ୍କର ଯେଉଁ କଳ୍ପିତ ଶକ୍ତି ଈଶ୍ୱରଙ୍କ ଆଜ୍ଞାରେ ଏ ବିଶ୍ୱକୁ ପରିଚାଳିତ କରୁଅଛି ତାହା ପ୍ରକୃତି ବା ମାୟା ଏହା ଈଶ୍ୱରଙ୍କଠାରୁ ପୃଥକ୍ ଥିବା କଳ୍ପୀତ ଏବଂ ଏହାହିଁ ସୃଷ୍ଟିର ମୁଖ୍ୟ କାରଣ ଅଟେ]
(ଉ—କାଳ ମାୟାର ପରେ ରହି, ପର ଆପଣା ଭେଦ କାହିଁ? ଜଗନ୍ନାଥ ଭାଗବତ)
- ୧୧. ଛଦ୍ମବେଶ —୧୧. A mask.
- ୧୨. କରୁଣା; କୃପା —୧୨. Kindness; pity; compassion.
- ୧୩. ସଂସାର ପ୍ରତି ଆସକ୍ତି — ୧୩. Wordly attachment
- ୧୪. ମହାମାୟା; ଦୁର୍ଗା —୧୪. Goddess Durg.
- ୧୫. ନାରୀ; ସ୍ତ୍ରୀ —୧୫. Woman.
- ୧୬. କମଳା; ଲକ୍ଷ୍ମୀ — ୧୬. The Goddess of beauty and wealth
- ୧୭. ମାୟାଦେବୀ; ବୁଦ୍ଧ ଦେବଙ୍କ ମାତା — ୧୭. The name of the mother of Buddha Deba
- ୧୮. ଧନ; ସମ୍ପତ୍ତି (ହିନ୍ଦୀ - ଶ) —୧୮. Wealth; riches. property.
- ୧୯. ଇନ୍ଦ୍ରବଜ୍ରା ଓ ଉପେନ୍ଦ୍ରବଜ୍ରା ନାମକ ବର୍ଣ୍ଣବୃତ୍ତଦ୍ୱୟଙ୍କ ମିଶ୍ରଣରେ ରଚିତ ବର୍ଣ୍ଣବୃତ୍ତବିଶେଷ (ହିନ୍ଦୀ - ଶ.) —୧୯. Name of a mixed metre.
- ୨. (ମୟ+ଅପତ୍ୟାର୍ଥେ. ଅ+ସ୍ତ୍ରୀ, ଆ) ମୟଦାନବର କନ୍ୟା; ବିଶ୍ରବାଙ୍କ ସ୍ତ୍ରୀ ଏବଂ ଖର, ଦୂଷିତ, ତ୍ରିଶିରା ଓ ସୁର୍ପଣଖାଙ୍କ ମାତା (ହିନ୍ଦୀ - ଶ) —୨୦. A demoness; daughter of Maya demon.
- ୨୧. ମର୍ତ୍ତ୍ୟରେ ଦେବତାଙ୍କ ଲୀଳା (ହିନ୍ଦୀ - ଶି) —୨୧ The sportive exhibitions of the Gods on the earth.
- ୨୨. ଆଦରଣୀୟ ସ୍ତ୍ରୀ (ହିନ୍ଦୀ - ଶ) —୨୨. A beloved or respected woman.
- ୨୩. ବୁଦ୍ଧି; ଅକଲ (ହିନ୍ଦୀ - ଶ —୨୩. Intelligence.
- ୨୪. କାଳ୍ପନିକ ମୂର୍ତ୍ତି — ୨୪. Phantom; an illusory image (Apte)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଅଧୁନା ଭୂଗର୍ଭରୁ ଆବିଷ୍କୁତ ନାନା ପ୍ରାଚୀନ ବସ୍ତୁର ସ୍ଥିରୀକୃତ) ଦକ୍ଷିଣ ଆମେରିକାର ପ୍ରାଚୀନ ସଭ୍ୟତା; ମାୟ ସଭ୍ୟତା —୧. Māyā the civilisation of ancient South America.
[ଦ୍ରଷ୍ଟବ୍ୟ —ଆଜିକୁ ୭୫: ବର୍ଷ ପୂର୍ବରୁ ୫ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏ ସଭ୍ୟତା ଦକ୍ଷିଣ ଆମେରିକାରେ ପ୍ରଚଳିତ ଥିଲା ଏହି ସଭ୍ୟତାର ଧ୍ୱଂସାବିଶେଷ ବର୍ତ୍ତମାନ ମେକ୍ସିକୋରେ ମିଳୁଅଛି ଭାରତବର୍ଷ ନିକଟସ୍ଥ ଯାଭା ଓ ବାଲି ଦ୍ୱୀପରେ ଉପନିବେଶ କରିଥିବା କଳିଙ୍ଗବାସୀ (ପ୍ରାଚୀନ ଓଡ଼ିଆ) ହିନ୍ଦୁମାନେ ଯାଇ ଏଠାରେ ସଭ୍ୟତା ବିସ୍ତାର କିରଥିବାର ବର୍ତ୍ତମାନ ଐତିହାସିକ ରାଖାଲ ଦାସ ବନ୍ଦୋପାଧ୍ୟାୟଙ୍କଦ୍ୱାରା ପ୍ରମାଣିତ ହୋଇଅଛି]
- ୨. ମାୟାଧର ଡାକ ନାମ — ୨. Name for calling Māyādhara.
ଅନୁବାଦ
[ସମ୍ପାଦନା]
|
ବିଶେଷଣ -
[ସମ୍ପାଦନା]- ୧. ସ୍ତ୍ରୈଣ —୧. Voluptuous; fond of woman.
- ୨. ମାଇଚା; ସ୍ତ୍ରୀସ୍ୱଭାବଯୁକ୍ତ — ୨. Womanish; effeminate.
- ୩. ଭୀରୁ — ୩. Cowardly.