ରୋଗ

ଉଇକିଅଭିଧାନ‌ରୁ
Jump to navigation Jump to search

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅମୟ; ବ୍ୟାଧି; ପୀଡା
  • ବେମାରି; ସ୍ଵାସ୍ଥ୍ୟହାନି
  • ମନ୍ଦ ଅଭ୍ୟାସରୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଜ୍.ଧାତୁ=ପୀଡ଼ିତ ହେବା+ଭାବ. ଅ][ସମ୍ପାଦନା]

୧. ଆମୟ; ବ୍ୟାଧି; ପୀଡ଼ା —୧. Sickness.
୨. ବେମାରି; ସ୍ୱାସ୍ଥ୍ୟହାନି —୨. Illness;loss of health; disease.

[ଦ୍ରଷ୍ଟବ୍ୟ —ଏହା ଜୀବ ତଥା ବୃକ୍ଷାଦିଙ୍କୁ ଆକ୍ରମଣ କରେ

[ରୋଗ—ରୋଗର ଅର୍ଥ ବ୍ୟାଧି କଥା ଅଛି,ଶରୀରଂ, ବ୍ୟାଧି—ମନ୍ଦିରଂ ଅର୍ଥାତ୍ ଶରୀର ମଧ୍ୟରେ ନାନା ରୋଗର ବସା। କେତେବେଳେ କେଉଁ ରୋଗ ବାହାରି ଶରୀରକୁ ଆକ୍ରମଣ କରେ ତାହା କେହି ଜାଣି ପାରେ ନାହିଁ। ରୋଗବିହୀନ ଅବସ୍ଥାକୁ ଆରୋଗ୍ୟ କହନ୍ତି। ଆରୋଗ୍ୟ ଅବସ୍ଥାକୁ ସୁସ୍ଥାବସ୍ଥା କହନ୍ତି ଏବଂ ଲୋକର ସୁସ୍ଥ ଅବସ୍ଥାକୁ ସ୍ୱାସ୍ଥ୍ୟ ବୋଲାଯାଏ। ଆଜୀବନ ସୁସ୍ଥ ରହିବା ମାନବର ମହାପୁଣ୍ୟର ଫଳ। ବିରଳ ରୋଗର ନିରାକରଣ ପାଇଁ ଆୟୁର୍ବେଦ ଶାସ୍ତ୍ରର ସୃଷ୍ଟି। ପ୍ରାଚୀନ ଯୋଗୀ ଋଷିମାନେ ସେମାନଙ୍କ ତ୍ରିକାଳଦର୍ଶିତା, ଜ୍ଞାନ ଓ ବିଜ୍ଞାନ ବଳରେ ଆୟୁର୍ବେଦ ଶାସ୍ତ୍ରପ୍ରଣୟନ କରିଥିଲେ; ରୋଗର ନିଦାନ, ରୋଗର ଉପଶମ, ରୋଗର ନିରାକରଣ ପାଇଁ ବହୁତ ଶାସ୍ତ୍ର ପ୍ରଣୟନ କରିଥିଲେ। ଆୟୁର୍ବେଦ ବେଦର ଉପବେଦ।

ରୋଗ ହେବାର କାରଣ କଅଣ ? ଏ ଶରୀର ରସ,ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ରରେ ପୂର୍ଣ୍ଣ। ଖାଦ୍ୟପେୟଦ୍ୱାରା ଏ ଶରୀର ପରିବର୍ଦ୍ଧିତ ଓ ପରିପୁଷ୍ଟ ହୁଏ। ଜଳ ପବନଦ୍ୱାରା ଶରୀର ରକ୍ଷିତ ହୁଏ। ଭାଗବତରେ ଅଛି, “ଜଳ ପବନ ଲାଗି ଦେହ, ଆଉ ଅଧିକ ଥିଲେ କହ”। ବାୟୁ, ପିତ୍ତ,କଫ ଏ ଶରୀରର ପ୍ରଧାନ ଧାତୁ। ଏମାନେ ସାମ୍ୟ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ମାନବ ସୁସ୍ଥ ଥାଏ। ଏମାନଙ୍କର ବିକୃତି ହେଲେ ମାନବ ଅସୁସ୍ଥ ହୁଏ। ଏହା ସାଧାରଣ କଥା। ରୋଗ ବଡ଼ ଯନ୍ତ୍ରଣାଦାୟକ। ରୋଗଯନ୍ତ୍ରଣାରେ ଲୋକ ସମୟ ସମୟରେ ଆତ୍ମହତ୍ୟା କରି ପକାଏ। ରାଜା ହେଉ ପ୍ରଜା ହେଉ, ଧନୀ ହେଉ ଦରିଦ୍ର ହେଉ, ରୋଗ ଯନ୍ତ୍ରଣା ସମସ୍ତଙ୍କୁ ସମାନ ଭାବରେ କଲବଲ, ଛଟପଟ କରି ପକାଏ। ସ୍ୱାସ୍ଥ୍ୟ ମାନବର ଅମୂଲ୍ୟ ଧନ। ଯାହାର ସ୍ୱାସ୍ଥ୍ୟ ଅଛି ସେ ଦେବଦୁର୍ଲଭ ସୁଖ ଭୋଗ କରେ, ମାତ୍ର ରୋଗୀ ପକ୍ଷରେ ସବୁ ତୁଚ୍ଛ। ତ୍ରିତଳ ପ୍ରାସାଦ ଉପରେ ତୂଳୀତଳ୍ପ ଉପରେ ଶୋଇ ରୋଗୀ କିଛି ସୁଖ ଭୋଗ କରେ ନାହିଁ। ଅଜସ୍ର ଧନ ଅଛି, ଖାଦ୍ୟ ସାମଗ୍ରୀ ଅଛି, ମାତ୍ର ଉଦରାମୟ ରୋଗ ହେତୁ ଯେ ଖାଇ ନ ପାରେ, ତାର ଧନରେ କିଛି ସୁଖ ନାହିଁ। ଯେ ଆଜନ୍ମ ରୋଗ ଯନ୍ତ୍ରଣା ଭୋଗି ନାହିଁ,ସେ ମର୍ତ୍ତ୍ୟରେ ସ୍ୱର୍ଗସୁଖ ଲାଭ କରେ। ରୋଗ ଅନ୍ୟ କିଛି ନୁହେଁ—ଏହା ନିଜକୃତ କର୍ମର ଫଳ। କୌଣସି କୌଣସି ରୋଗ ଇହଜନ୍ମକୃତ କର୍ମର ଫଳ, କୌଣସି କୌଣସି ରୋଗ ପୂରୂଜନ୍ମକୃତ କର୍ମର ଫଳ। ଏ ଶରୀରଯନ୍ତ୍ର କେତେଗୁଡ଼ିଏ ନିୟମଦ୍ୱାରା ପରିଚାଳିତ। ସେହି ନିୟମର ବ୍ୟତିକ୍ରମ କଲେ ପାପ ହୁଏ। ନିୟମାନୁମୋଦିତ କର୍ମ କଲେ ପୁଣ୍ୟ ହୁଏ। ରୋଗ ପାପ କାର୍ଯ୍ୟର ଫଳ। ପାପ ମଧ୍ୟରେ ପୁଣି ତାରତମ୍ୟ ଅଛି—କ୍ଷୁଦ୍ର ପାପ, ଉତ୍କଟ ପାପ, ଅତ୍ୟୁତ୍କଟ ପାପ। ପାପର ପରିମାଣ ଅନୁସାରେ ରୋଗର ତାରତମ୍ୟ ହୁଏ। ସାମାନ୍ୟ ପାପରୁ ସାମାନ୍ୟ ରୋଗ ହୁଏ, ଉତ୍କଟ ପାପରୁ ଉତ୍କଟ ରୋଗ ଜନ୍ମେ ଏବଂ ଅତ୍ୟୁତ୍କଟ ପାପରୁ ଅତ୍ୟୁତ୍କଟ ରୋଗ ଜନ୍ମେ। ଖାଦ୍ୟପେୟ ଓ ବାୟୁଦୋଷରୁ ଯେଉଁ ରୋଗ ଜନ୍ମେ, ତାକୁ ସାମାନ୍ୟ କୁହାଯାଇ ପାରେ ଏବଂ ସେ ରୋଗମାନ ଔଷଧ ପ୍ରୟୋଗରେ ଭଲ ହୋଇ ପାରେ ମାତ୍ର ଯେଉଁ ରୋଗମାନ ଗ୍ରହଜ ବା କର୍ମଜ, ସେଗୁଡ଼ିକ ଭୋଗ ଶେଷରେ ଭଲ ହୁଏ ନିଦାନ ରୋଗ ଦୁଃସାଧ୍ୟ ସେଗୁଡ଼ିକ ଔଷଧ ମାନନ୍ତି ନାହିଁ। ସେଗୁଡିକ ନିୟତିର ମୂର୍ତ୍ତିମନ୍ତ୍ର ପ୍ରତିନିଧି। ସେ ରୋଗ ରୋଗୀକି ଇହଲୋକକୁ ନେଇ କରି ଯାଏ। ଆମ ଦେଶରେ କର୍ମବିପାକ ଶାସ୍ତ୍ର ଅଛି। କେଉଁ କର୍ମ କଲେ କି ରୋଗ ହୁଏ ଏବଂ କି ଉପାୟରେ ସେ ରୋଗର ଶାନ୍ତି ହୁଏ, ସେ ବିଷୟମାନ ସେଥିରେ ଲିଖିତ ଅଛି।

ରୋଗର ଉପଶମ ପାଇଁ ନାନା ପ୍ରକାର ଉପାୟ ଋଷିମାନେ ଉଦ୍ଭାବନ କରି ଯାଇଛନ୍ତି। ଶଲ୍ୟ ଚିକିତ୍ସା ବା ଅସ୍ତ୍ର ଚିକିତ୍ସା ଏବଂ ଔଷଧ ପ୍ରୟୋଗ। ଔଷଧ ପ୍ରୟୋଗ ମଧ୍ୟରେ ମଣି, ମନ୍ତ୍ର, ମହୌଷଧି, ମନ୍ତ୍ର ଚିକିତ୍ସା ଉଡ଼ିଶ ଡାମ୍ୱର ପ୍ରଭୃତି ତନ୍ତ୍ର ଶାସ୍ତ୍ରରେ ଅଛି। ସକଳ ପ୍ରକାର ରୋଗ ପାଇଁ ମନ୍ତ୍ର ଚିକିତ୍ସା ଅଛି। କେବଳ ମନ୍ତ୍ର ପାଠ କରି ଝାଡ଼ି ଦେଲେ ବା ଫୁଙ୍କି ଦେଲେ ରୋଗ ଯିବ; ମଣି ଧାରଣଦ୍ୱାରା ମଧ୍ୟ ରୋଗର ଉପଶମ ହୁଏ। ଚିକିତ୍ସା ମଧ୍ୟରେ ପୁଣି ରସାୟନ ଚିକିତ୍ସା ଓ ବିଷାୟନ ଚିକିତ୍ସା। ବିଷ ଚିକିତ୍ସା ବିଶେଷ ଫଳପ୍ରଦ, ମାତ୍ର ବିଶାରଦ ବୈଦ୍ୟ ନ ହେଲେ ସେ ଚିକିତ୍ସା କରି ପାରନ୍ତି ନାହିଁ। ଶୋଧିତ ବିଷ ଅମୃତ ସମାନ ଫଳ ଦିଏ, ମାତ୍ର ଶୋଧନରେ ତ୍ରୁଟି ହେଲେ ବିଷମୟ ଫଳ ଫଳେ। ସର୍ପ ବିଷ ମଧ୍ୟ ଶୋଧିତ ହୋଇ ଔଷଧରେ ପ୍ରୟୋଗ କରାଯାଏ। ଶଲ୍ୟ ଚିକିତ୍ସା ସୁଶ୍ରୁତ ସଂହିତାରେ ଅଛି, ମାତ୍ର ତାହା ଆଜିକାଲି ପ୍ରାୟ ଲୋପ ପାଇଛି। ସେହି ଅସ୍ତ୍ର ଚିକିତ୍ସା ଆଜି ପାଶ୍ଚାତ୍ୟ ଦେଶରେ କ୍ରମୋନ୍ନତି ପଥରେ ଅଗ୍ରସର ହୋଇ ଜଗତକୁ ଚମତ୍କୃତ କରୁଅଛି। ହିନ୍ଦୁ ସକଳ ଶାସ୍ତ୍ରରେ ଚୂଡ଼ାନ୍ତ ଉନ୍ନତି ଲାଭ କରିଥିଲା। ଜଡ଼ବିଜ୍ଞାନ ଓ ଅଧ୍ୟାତ୍ମ ବିଜ୍ଞାନ ଉଭୟ ବିଦ୍ୟାରେ ଭାରତ ଉନ୍ନତିର ଶେଷ କୋଟିରେ ଉପନୀତ ହୋଇଥିଲା। ଜ୍ୟୋତିଷ, ଭୂଗୋଳ,ଯୋଗ ପ୍ରଭୃତି ସକଳ ବିଦ୍ୟାରେ ଭାରତ ଜଗତ୍ ଗୁରୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ୍ଭ ଭାଗ୍ୟ ବିପର୍ଯ୍ୟୟରୁ ଭାରତ ଆଜି ଅବନତିର ନିମ୍ନତମ ପ୍ରଦେଶରେ ଅବସ୍ଥିତ। ଆଜି ଭାରତ ସବୁଠାରେ ଲାଞ୍ଛିତ, ପଦଦଳିତ। ଭାରତୀୟ ତ୍ରିକାଳଦର୍ଶୀ ଯୋଗୀ ଋଷିମାନେ ଔଷଧ ବଳରେ ଶତ ଶତ,ସହସ ସହସ୍ର ବର୍ଷ ବଞ୍ଚିବାର ଉପାୟ ସ୍ଥିର କରିଥିଲେ। ଏହିସବୁ ଔଷଧର ନାମ କଳ୍ପ। ଚରକ ମହର୍ଷି ପ୍ରଣୀତ ଚରକ ସଂହିତା ପାଠ କଲେ ପାଠକମାନେ ଏ ସବୁ କଥା ଜାଣି ପାରିବେ। ଚ୍ୟବନ ମହର୍ଷି ଚ୍ୟବନପ୍ରାସ ଔଷଧଦ୍ୱାରା ବୃଦ୍ଧକୁ ଯୌବନ ଦାନ କିରଥିଲେ। ଚରକ ମହର୍ଷି ତାଙ୍କ ପୁସ୍ତକରେ କେବଳ ବନୌଷଧିଦ୍ୱାରା ରୋଗ ଆରୋଗ୍ୟ କରିବାର ବ୍ୟବସ୍ଥା କରିଛନ୍ତି। ତାଙ୍କ ପୁସ୍ତକରେ ଔଷଧ ଅପେକ୍ଷା ଲୋକ କି ଉପୟ ଅବଳମ୍ୱନ କରି ଜୀବନଯାତ୍ରା ନିର୍ବାହ କଲେ ଏବଂ କି କି ନିୟମ ପାଳନ କରି ଚଳିଲେ ଆଜୀବନ ନିରୋଗରେ କାଳ ଯାପନ କରି ପାରିବ, ସେହି ବ୍ୟବସ୍ଥା ପ୍ରତି ସବିଶେଷ ମନୋଯୋଗ ପ୍ରଦତ୍ତହୋଇଅଛି। ଚରକ ବୈଦ୍ୟମାନଙ୍କ ବିଷୟ କହିବାକୁ ଯାଇ କହିଅଛନ୍ତି ଯେ, ଯେଉଁ ବୈଦ୍ୟ ଅର୍ଥ ନେଇ ଔଷଧ ଦିଏ ତାଠାରୁ ପ୍ରାଣାନ୍ତେ ସୁଦ୍ଧା ଔଷଧ ଖାଇବ ନାହିଁ। ସେ ଏପରି କାହିଁକି କହିଥିଲେ? ମାନବ ଜୀବନ ବଡ଼ ଅମୂଲ୍ୟ ବସ୍ତୁ। ଧର୍ମଭାବରେ ମାନବ ଜୀବନ ସଙ୍ଗେ ବ୍ୟବହାର କରିବା କର୍ତ୍ତବ୍ୟ। ଯେଉଁଠି ଜୀବର ମରଣ ସମ୍ପର୍କଅଛି ସେଠି ଧର୍ମଭାବ ଏକମାତ୍ର ରକ୍ଷକ। ଅର୍ଥଲାଳସାରେ ଚିକିତ୍ସା କଲେ ଚିକିତ୍ସକଙ୍କ ମନରେ ଲୋଭ ଓ ନାନା କୁପ୍ରବୃତ୍ତି ଆସି ବାସ କରେ; ଧନଲାଭ ଏକମାତ୍ର ଲକ୍ଷ୍ୟ ରହେ। ରୋଗୀର ଜୀବନ ଯାଉ କି ରହୁ, ଧନ ଲାଭ ହେଲେ ହେଲା। ନୀରୋଗ ହେବା ପାଇଁ ଚରକ ମହର୍ଷିଙ୍କ ନିୟମାବଳୀ ବଡ଼ ଅମୂଲ୍ୟ ନିୟମ। ପ୍ରତ୍ୟେକ ଲୋକ ତାକୁ ମାନି ଚଳିଲେ ଆଉ ରୋଗ ହେବାର ସେତେ ଆଶଙ୍କା ରହିବ ନାହିଁ। ସେ ସବୁ ନିୟମ ପ୍ରତ୍ୟେକ ଲୋକଙ୍କ ଜାଣିବା ଆବଶ୍ୟକ। ଦୃଷ୍ଟାନ୍ତସ୍ୱରୂପ କେତେ ଗୋଟି ନିମ୍ନରେ ପ୍ରବତ୍ତ ହେଲା। ପାଠକମାନେ ଚରକ ସଂହିତା ପାଠ କଲେ ବିଶଦ ଭାବରେ ଏହା ଜାଣି ପାରିବେ

୧. ମଳ, ମୂତ୍ର,ଶୁକ୍ର, ଅଧୋବାୟୁ, ବାନ୍ତି, ହାକୁଟି, ଛିଙ୍କ, ହାଇ, କ୍ଷୁଧା, ପିପାସା, ଅଶ୍ରୁ, ନିଦ୍ରା ଓ ନିଶ୍ୱାସର ବେଗ ଧାରଣ କରିବା ନାହିଁ। ଯେତେ ବେଳେ ଏ ସବୁକାର୍ଯ୍ୟର ଉପକ୍ରମ ହେବ ସେତେବେଳେ ଅନ୍ୟ କାର୍ଯ୍ୟ ଛା଼ଡି ଏ ସବୁ କାର୍ଯ୍ୟ ଆଗେ କରିବ। ଆଦୌ କାଳ ବିଳମ୍ୱ କରିବ ନାହିଁ ଅନ୍ୟଥା କଲେ ନାନା ପ୍ରକାର ରୋଗ ଆକ୍ରମଣ କରିବ।
୨. ପାପାଚାରୀ, ପାପାଳାପୀ, ପାପମନା, ମିଥ୍ୟାବାଦୀ, କଳହପ୍ରିୟ, ଲୋଭୀ, ନିଷ୍ଠୁରୋପହୀସୀ, ପରିଶ୍ରମକାତର, ଶଠ, ପରିନିନ୍ଦାକାରୀ, ପରଦାରାଗାମୀ, ନିର୍ଦ୍ଦୟ, ଅଧର୍ମ୍ମୀ ଲୋକମାନଙ୍କ ସଙ୍ଗ ତ୍ୟାଗ କରିବ।
୩. ବୁଦ୍ଧିମାନ୍, ବିଦ୍ୱାନ୍, ବୟୋଜ୍ୟେଷ୍ଠ, ସୁଶୀଳ, ଧୀର, ଶାନ୍ତ, ଭକ୍ତ, ଲୋକଚରିତଜ୍ଞ, ସୁସ୍ଥମନା, ମଧୁରଭାଷୀ, ସଦାଚାରୀ, ସନ୍ମାର୍ଗ ପ୍ରଦର୍ଶକ, ପୁଣ୍ୟତ୍ମା ଲୋକମାନଙ୍କ ସଙ୍ଗ ବାଞ୍ଛନୀୟ।
୪. ରାତ୍ରରେ ଦଧି ଭୋଜନ କରିବା ନାହିଁ, ଘିଅ ଗୁଡ଼ ନ ମିଶାଇ କିମ୍ୱା ମୁଗ ଯୂଷ ବା ଅଁଳା ଯୂଷ କିମ୍ୱା ମହୁ ନ ମିଶାଇ ଦଧି ଭୋଜନ କରିବା ନାହିଁ।
୫. ଯେଉଁ କାରଣରୁ କାହାର ଉନ୍ନତି ହୋଇଅଛି, ସେ କାରଣ ପ୍ରତି ଈର୍ଷା କରିବ, କିନ୍ତୁ ସେ କାରଣର ଫଳ ପ୍ରତି ଈର୍ଷା କରିବ ନାହିଁ। ସ୍ୱାସ୍ଥ୍ୟୋନ୍ନତି ଲାଗି ଯତ୍ନ,ପରିଶ୍ରମ ଓ ଉଦ୍ଯୋଗ କରିବ।
୬. ସମୟ ବୁଝି ହିତକର ଅଥଚ ମଧୁର ଓ ପରିମିତ ବାକ୍ୟ କହିବ।
୭. ମୂର୍ଦ୍ଧା, କର୍ଣ୍ଣ, ନାସା ଓ ପାଦରେ ପ୍ରତିଦିନ ତୈଳ ମାଲିସ କରିବ।
୮. ଅତିଥିଙ୍କୁ ପୂଜା କରିବ, ପିତୃମାନଙ୍କୁ ପିଣ୍ଡ ଦାନ କରିବ।
୯. ଅନ୍ନ ଓ ଖାଦ୍ୟ ସାମଗ୍ରୀ ବଢ଼ା ହେଲେ ତାକୁ ମନ୍ଦ ବୋଲି ଭାବିବ ନାହିଁ।
୧୦. ଦଧି, ମଧୁ, ଲବଣ, ଶକ୍ରୁ ଓ ଘୃତ ଭିନ୍ନ ଅନ୍ୟ ବସ୍ତୁର କିଞ୍ଛିତ୍ ଅବଶେଷ ରଖି ଭୋଜନ କରିବ।
୧୧. ଦିନରେ ଲିଆ ଖାଇବ ନାହଁ, ଜଳ ନ ମିଶାଇ ଛତୁ ଖାଇବ ନାହିଁ।
୧୨. ଦାନ୍ତରେ ନ ଚୋବାଇ ଭୋଜନ କରିବ ନାହିଁ। ଶରୀରକୁ ବକ୍ର ଭାବରେ ରଖି ଛିଙ୍କିବ ନାହିଁ, ଭୋଜନ କରିବ ନାହିଁ କି ଶୟନ କରିବ ନାହିଁ।
୧୩. ସ୍ତ୍ରୀମାନଙ୍କୁ ଅବଜ୍ଞା କରିବ ନାହିଁ, ଅତି ବିଶ୍ୱାସ କରିବ ନାହିଁ, ଗୋପନୀୟ ପରାମର୍ଶ ଶୁଣାଇବ ନାହିଁ, ଅଧିକାରିଣୀ କରାଇବ ନାହିଁ।
୧୪. ସର୍ବଦା ପ୍ରକୃତିର ଅନୁସରଣ କରିବ। କାରଣର ନିଶ୍ଚୟ କାର୍ଯ୍ୟକାରିତା ଅଛି ବୋଲି ଜାଣିବ। ଉନ୍ନତିର କାରଣ ଆପଣା ମନକୁ ଆସେ ନାହିଁ ଆପଣା ଉନ୍ନତି ପାଇଁ ଆପେ ଉଦ୍ଯୋଗ କରିବ ଓ କାରଣ ଘଟାଇବ। ଯାହା କରିବାର ଥିଲା ତାହା କରାଯାଇଅଛି ଆଉ କିଛି କରିବାକୁ ନାହିଁ, ଏପରି ଭାବିବ ନାହିଁ, କି ସେପରି ଭାବି ନିଶ୍ଚିନ୍ତ ରହିବ ନାହିଁ।
୧୫. ମୁଖ ମଧ୍ୟରେ ତୈଳ ଗଣ୍ଡୁଷ ଧାରଣ କରିବ। ଏପରି କଲେ ହନୁବଳ, ସ୍ୱରଚଳ, ବଦନର ପୁଷ୍ଟି, ଉତ୍ତମ ରସଜ୍ଞାନ ଓ ଅନ୍ନରେ ସୁରୁଚି ହୁଏ, ମୁଖରେ ଓ କଣ୍ଠରେ ଶୋଷ ହୁଏ ନାହିଁ, ଓଠ ଫାଟେ ବାହିଁ, ଦନ୍ତ ମାନ ଦୃଢ଼ ହୁଏ।

ଏହିପରି ଶତାଧିକ ନିୟମ ଚରକ ମହର୍ଷି ନିର୍ଦ୍ଦିଷ୍ଟ କରିଅଛନ୍ତି; ସେ ସମସ୍ତ ଲେଖିଲେ ସନ୍ଦର୍ଭ ବଡ଼ ଦୀର୍ଘ ହେବ ମୋର ବିଶ୍ୱାସ, ଚରକନିର୍ଦ୍ଦିଷ୍ଟ ସକଳ ନିୟମ ପ୍ରତିପାଳନ କଲେ ଶରୀର ମଧ୍ୟକୁ ରୋଗ ପ୍ରବେଶ କରିବ ନାହିଁ।


ଦେଖାଯାଏ, ଭାରତରେ ରେଗୀ ସଂଖ୍ୟା ବଢୁଛି, ରୋଗ ସଂଖ୍ୟା ମଧ୍ୟ ବଢୁଛି। ସୁସ୍ଥ, ସବଳ, ହୃଷ୍ଟପୃଷ୍ଟ, ଦୀର୍ଘକାୟ, ଦୀର୍ଘଜୀବୀ ଲୋକଙ୍କର ସଂଖ୍ୟା କ୍ରମେ କମିଯାଉଛି। ବର୍ତ୍ତମାନ ଯୁଗର ଲୋକସାଧାରଣ ଜୀର୍ଣ୍ଣଶୀର୍ଣ୍ଣ , କ୍ଷୀଣବଳ, କୃଶକାୟ, ହୀନାୟୁ, ସନ୍ତତ, ରୋଗକ୍ଲିଷ୍ଟ। ଅନେକ ଅଚିହ୍ନାରୋଗ ଦେଖାଯାଉଛି ଓ ରୋଗ ଚିହ୍ନିବା ବିଶାରଦ ବୈଦ୍ୟ ନାହାଁନ୍ତି। ରୋଗୀ ସଂଖ୍ୟା ଯେତେ ବୃଦ୍ଧି ହେଉଛି, ବୈଦ୍ୟ ସଂଖ୍ୟା ସେତେ ବୃଦ୍ଧି ହେଉ ନାହିଁ। ଆୟୁର୍ବେଦୀୟ ଚିକିତ୍ସା ପ୍ରତି ସରକାରଙ୍କର ସହାନୁଭୁତି ସେତେ ବେଶି ନାହିଁ, କି ଲୋକସାଧାରଣଙ୍କର ଆୟୁର୍ବେଦ ପ୍ରତି ବିଶ୍ୱାସ ନାହିଁ। ଡ଼ାକ୍ତରୀ ଚିକିତ୍ସା, ଏଲୋପ୍ୟାଥିକ୍ ଔଷଧ ଏ ଯୁଗର ପ୍ରଧାନ ଚିକିତ୍ସା। ଏଣେ ହୋମିଓପାଥିକ୍ ଡ଼ାକ୍ତର ସଂଖ୍ୟା କ୍ରମେ ବୃଦ୍ଧିପାଉଛି। ପୁଣି ଜଳଚିକିତ୍ସା, ଆଲୋକ ଚିକିତ୍ସା, ବାୟୋକେମିକ୍ ଚିକିତ୍ସା, ହାକିମ ଚିକିତ୍ସା, ବୈଦ୍ୟୁତିକ ଚିକିତ୍ସା ଏପରି କେତେ ଅଭିନବ ଚିକିତ୍ସା ପ୍ରଣାଳୀ ଆସି ଉପସ୍ଥିତ। ଡ଼ାକ୍ତର ନାନାରକମର ଦେଖାଦେଲେଣି। ଆୟୁର୍ବେଦ ଚିକିତ୍ସକଙ୍କର ସଂଖ୍ୟା ମଧ୍ୟ ବଢୁଛି। ପ୍ରତ୍ୟେକଙ୍କର ଆସ୍ଫାଳନ ଯେ, ତାଙ୍କ ଚିକିତ୍ସାପ୍ରଣାଳୀ ସର୍ବଶ୍ରେଷ୍ଠ।

ଭାରତୀୟ ଆୟୁର୍ବେଦୋକ୍ତ ଔଷଧମାନ ବନୌଷଧି ପ୍ରସ୍ତୁତ ଏବଂ ଭସ୍ମନିର୍ମିତ। ଆଜିକାଲିର କବିରାଜ ମହାଶୟମାନେ ବନୌଷଧି ଚିହ୍ନନ୍ତି ନାହିଁ। ବଣିଆ ଦୋକାନହିଁ ଏମାନଙ୍କର ଏକମାତ୍ର ଆଶ୍ରୟସ୍ଥଳ। ବଣିଆ କେତେ କାଳର ପୁରୁଣା ଚେରମୂଳି ଦୋକାନରେ ପକାଇ ରଖିଥାଏ। ବୈଦ୍ୟମାନେ ଡ଼ାକ ପଠାଇ ଦେଲେ ସେ ଅସରପା ଲଣ୍ଡି ମିଶ୍ରିତ ମସଲା ଯୋଗାଇଦିଏ। କବିରାଜମାନେ ସେଥିରେ ମୋଦକ ବଟିକା ତୈଳ ଘୃତ ପ୍ରଭୁତି ପ୍ରସ୍ତୁତ କରିଦିଅନ୍ତି। କେହି ପରଶ୍ରମ କରି ଭସ୍ମ ମାରନ୍ତି ନାହିଁ। ଭସ୍ମମାନ ସେହି ବଣିଆ ଦୋକାନରୁ ଆସେ। ଏଥିରେ ଭାରତୀୟ ଔଷଧର ଯେବେ ଗୁଣ ନ ହେଲା, ତେବେ ଆଶ୍ଚର୍ଯ୍ୟର କଥା କିଛି ନାହିଁ। ଯେଉଁ ଜ୍ଞାନପିପାସା ବଳରେ ଲୋକେ ଆଜି ଆକାଶରେ ଉଡ଼ୁଛନ୍ତି, ସେପରି ଜ୍ଞାନପିପାସା ଥିଲେ ଆଜି ଚେରମୂଳ ଚିହ୍ନିବାପାଇଁ ବା ସଂଗ୍ରହ କରିବାପାଇଁ ଆମ୍ଭମାନଙ୍କୁ ବଣିଆ ଦୋକାନ ଉପରେ ଆଶ୍ରୟ କରିବାକୁ ପଡ଼ନ୍ତା ନାହିଁ। ଅନେକ ବୈଦ୍ୟ ସମ୍ମିଳନୀ ହେଉଛି, ବକ୍ତୃତା ଦିଆଯାଉଛି, ମାତ୍ର କାର୍ଯ୍ୟରେ କିଛି ହେଉ ନାହିଁ। ଔଷଧର ମୂଳ ସାମଗ୍ରୀ ବନସ୍ପତି! ବନସ୍ପତି ଅନୁସନ୍ଧାନ ଓ ଆବିଷ୍କାର କାର୍ଯ୍ୟ ବୈଦ୍ୟଙ୍କ ପ୍ରଧାନ କାର୍ଯ୍ୟ, ମାତ୍ର କେହି ସେ କାର୍ଯ୍ୟ ଆଦୌ ଦେଖୁ ନାହିଁ। ଶାସ୍ତ୍ରଲିଖିତ ଅନେକ ବନୌଷଧି ଏପର୍ଯ୍ୟନ୍ତ ଅଧିକାଂଶ ବୈଦ୍ୟଙ୍କୁ ଜଣା ନାହିଁ। ବନସ୍ପତି ଉଦ୍ୟାନ ନାହିଁ ଓ ବନ ଜଙ୍ଗଲକୁ ଯାଇ କେହି ତହିଁରେ ଅନୁସନ୍ଧାନ କରୁନାହିଁ। ଜୀବନୀୟବର୍ଗର ଔଷଧିମାନ ଏପର୍ଯ୍ୟନ୍ତ ଅପ୍ରାପ୍ୟ ଓ ଔଷଧିମାନ ଜୀବନୀଶକ୍ତି ବୃଦ୍ଧିକରେ; ତା ଅଭାବରେ ଅନ୍ୟାନ୍ୟ ଚେରମୂଳି ପକାଇ ବୈଦ୍ୟମାନେ କାମ ଚଳାଇ ଦେଇଛନ୍ତି। ଏପରି ପରିସ୍ଥିତିରେ ଦେଶୀୟ ଔଷଧ ଫଳପ୍ରଦ ହେଉନାହିଁ। ଲୋକଙ୍କର ତହିଁରୁ କ୍ରମେ ବିଶ୍ୱାସ ତୁଟିଯାଉଛି। ଆଜିକାଲି ଯୁଗରେ ଡ଼ାକ୍ତରୀବିଦ୍ୟାର ଅସ୍ତ୍ରଚିକିତ୍ସା ପ୍ରଭୁତି ଉନ୍ନତି ଲାଭକଲାଣି। ଆୟୁର୍ବେଦ ଚିକିତ୍ସକମାନେ ଅସ୍ତ୍ରଚିକିତ୍ସା ଜାଣନ୍ତି ନାହିଁ। ଆୟୁର୍ବେଦ ଶିକ୍ଷା ସଙ୍ଗେ ଅସ୍ତ୍ରଚିକିତ୍ସା ଯୁକ୍ତ ହେଲେ ମଣିକାଞ୍ଚନର ସଂଯୋଗ ହୁଅନ୍ତା। ଆୟୁର୍ବେଦରେ ରୋଗର ନିଦାନ ଯେପରି ବିସ୍ତୃତ ଓ ବିଶଦ ଭାବରେ ଅଛି, ସେପରି ନିଦାନ ଅନ୍ୟତ୍ର ନାହିଁ। ବିଶାରଦ ଆୟୁର୍ବେଦ ଚିକିତ୍ସକ ନାଡ଼ୀ ଦେଖି ରୋଗର ସମସ୍ତ ନିଦାନ କହିଦିଅନ୍ତି, ଅନ୍ୟ ଚିକିତ୍ସକମାନେ ସେପରି କହି ପାରିବେ ନାହିଁ। ସେମାନଙ୍କର ଷ୍ଟେଥୋସ୍କୋପ୍ ଓ ଥର୍ମୋମିଟର୍ ନାମକ ଯନ୍ତ୍ର ପ୍ରଧାନ ସହାୟ। ସେହି ଯନ୍ତ୍ର ସାହାଯ୍ୟରେ ସେମାନେ ଶରୀରର ତାପ, ହୃତପିଣ୍ଡର ବାଳାବଳ ସ୍ଥିର କରନ୍ତି। ହୋମିଓପ୍ୟାଥିକ୍ ଚିକିତ୍ସକମାନେ ମଧ୍ୟ ଏ ଯନ୍ତ୍ରର ସାହାଯ୍ୟ ନେଉଛନ୍ତି। ହୋମିଓପ୍ୟାଥିକ୍ ଚିକିତ୍ସାରେ ପ୍ରତ୍ୟେକ ଔଷଧ କି କି ଲକ୍ଷଣ ଥିଲେ ପ୍ରୟୋଗ କରାଯିବ ତହିଁର ବିବରଣ ଲେଖା ଅଛି। ସବୁ ଲକ୍ଷଣକୁ ମିଳାଇ ଔଷଧ ନିର୍ଣ୍ଣୟ କରିବା ଚିକିତ୍ସକଙ୍କ ତୀକ୍ଷ୍ଣ ବୁଦ୍ଧି ଓ ଅଭିଜ୍ଞତା ଉପରେ ନିର୍ଭର କରେ। ମାତ୍ର ଆଜିକାଲି ଯେ ଖଣ୍ଡେ ସାର୍ଟିଫିକେଟ୍ ହାସଲ କରିପାରିଲା ସେ ଜଣେ ଡ଼ାକ୍ତର। ଆଜିକାଲି ମୋଟ ଉପରେ, ଅଳ୍ପ ଜାଣି ବହୁତ ବଖାଣି ବିଶେଷ ଲାଭବାନ୍ ହେବା ଚେଷ୍ଟା ସବୁଠାରେ ଦେଖାଯାଏ। ଏ ପ୍ରବୃତ୍ତି ସକଳ ଅନିଷ୍ଟର ମୂଳ। ଅର୍ଥଚିନ୍ତା ଲୋକଙ୍କୁ ବଡ଼ ବ୍ୟାକୁଳ କରିପକାଉଛି। ଅଳ୍ପ ଆୟାସରେ, ଅଳ୍ପ ପରିଶ୍ରମରେ, ଅଳ୍ପ ବୁଦ୍ଧି ଖର୍ଚ୍ଚକରି କିପରି ବିଶେଷ ଲାଭବାନ୍ ହେବି, ଏହାହିଁ ଲୋକଙ୍କ ମସ୍ତିଷ୍କରେ ସର୍ବଦା ଖେଳା କରୁଛି। ରୋଗୀର ଦୁଃଖରେ ଦୁଃଖୀ ହୋଇ ଚିକିତ୍ସା କରିବା ଚିକିତ୍ସକ ଅତି ବିରଳ। ପ୍ରାଚୀନ ଚିକିତ୍ସକମାନଙ୍କର ସେ ଭାବ ଥିଲା। ମାତ୍ର ଆଧୁନିକ ଚିକିତ୍ସକମାନଙ୍କର ସେ ଭାବ କ୍ରମେ ଲୋପ ପାଇଆସୁଛି। ବର୍ତ୍ତମାନ ଯାହାର ଅର୍ଥ ନାହିଁ, ଯେ ଦୀନ ଦୁଃଖୀ ଦରିଦ୍ର, ସେ ସୁଚିକିତ୍ସାରୁ ଏକାବେଳକେ ବଞ୍ଚିତ, ଚିକିତ୍ସାରାଜ୍ୟରେ ତାର ଅଧିକାର ନାହିଁ। ପୁରୀର ପ୍ରାତଃସ୍ମରଣୀୟ ସ୍ୱର୍ଗୀୟ ମାଗୁଣି ବ୍ରହ୍ମା ବୈଦ୍ୟରତ୍ନ, ଜଣେ ଆଦର୍ଶ ଚିକିତ୍ସକ ଓ ବିଶାରଦ ବୈଦ୍ୟ ଥିଲେ।

ଏଣେ ବଜାରରେ ଆଜିକାଲି ନାନାପ୍ରକାର ଖାଦ୍ୟ ବିକ୍ରି ହେଉଛି। କିଏ ସେ ଖାଦ୍ୟ ପ୍ରସ୍ତୁତ କରୁଛି, ତାହା କେହି ବୁଝୁନାହିଁ। ଖରାପ ତେଲ ଓ ଖରାପ ଘିଅରେ ବଜାର ପୂର୍ଣ୍ଣ। ହୋଟେଲ୍ ସଂଖ୍ୟା ପ୍ରତିଦିନ ବଢୁଛି; ସମସ୍ତେ ଖାଦ୍ୟଦ୍ରବ୍ୟ ବିକ୍ରୟ କରିବା ବ୍ୟବସାୟ କଲେଣି। କାହାର ପରିଷ୍କୃତି ଓ ପରିଚ୍ଛନତାପ୍ରତି ଦୃଷ୍ଟି ନାହିଁ। ଅଳ୍ପ ବ୍ୟୟରେ ବେଶି ଲାଭ ଏମାନଙ୍କ ଲକ୍ଷ୍ୟ। ବଜାରରେ ଯେଉଁସବୁ ଖାଦ୍ୟ ବିକ୍ରି ହୁଏ ତହିଁରୁ ବାରପଣ ଧୂଳିପୂର୍ଣ୍ଣ। ବାସି ଜିନିସ ମଧ୍ୟ ସେଥି ମଧ୍ୟରେ ବିକ୍ରି କରାଯାଉଛି। ଏ ସବୁ ଖାଦ୍ୟ ମଧ୍ୟ ରୋଗର କାରଣ। ଏହିପରି ନାନା ପ୍ରକାର ଅସ୍ୱାଭାବିକ ପାରିପାର୍ଶ୍ୱିକ ଅବସ୍ଥା ଲୋକଙ୍କ ଉପରେ ରାଜତ୍ୱ କରୁଛି। ଅର୍ଥ ପାଇଁ ଲୋକେ ନାନା ରୋଗ କିଣିଆଣୁଛନ୍ତି। କଳକାରଖାନାମାନଙ୍କରେ କାର୍ଯ୍ୟ କରିବା, ରେଳ ମଟର ପ୍ରଭୃତିରେ ଯାତାୟାତ କରିବାଦ୍ୱାରା ଲୋକେ ନାନା ପ୍ରକାର ଅସୁବିଧା ଭୋଗ କରି ରୋଗକୁ ମଧ୍ୟ ଆବାହନ କରି ଆଣୁଛନ୍ତି। ପଲ୍ଲୀର ଅବସ୍ଥା ମଧ୍ୟ ଅତି ଶୋଚନୀୟ। ପଲ୍ଲୀରେ ବିଶୁଦ୍ଧ ପାନୀୟ ଜଳ ନାହିଁ, ବିଶୁଦ୍ଧ ପବନ ମଧ୍ୟ ନାହିଁ, ଦଳ ପାଣିରେ ଗାଧୋଇବା, ଦଳ ପାଣି ପିଇବା, ଗ୍ରାମ ଦାଣ୍ଡରେ ଖତଗଦା, ଗ୍ରାମ ଦୁଇ ମୁଣ୍ଡରେ ଗୁହ ପଡ଼ିଆ - ଏସବୁ ମଧ୍ୟ ରୋଗର ପ୍ରଧାନ କାରଣ। ଅଧିକାଂଶ ପଲ୍ଲୀବାସୀ ରୋଗାକ୍ରାନ୍ତ। ଏଣେ ଅଧିକାଂଶ ପଲ୍ଲୀବାସୀ ଦୁଇଓଳି ଦୁଇ ମୁଠା ଖାଇବାକୁ ପାଉନାହାଁନ୍ତି; ତେଣେ ନାନା ପ୍ରକାର ଅସ୍ୱାସ୍ଥ୍ୟକର ଆବର୍ଜନାରେ ପରିପୂର୍ଣ୍ଣ ପଲ୍ଲୀ ଏକ ପ୍ରକାର ରୋଗର ଖଣି ହୋଇଅଛି। ଚିକିତ୍ସା ନଦାରଦ। ବର୍ତ୍ତମାନ ଦେଖାଯାଏ ଯେ, ପ୍ରତ୍ୟେକ ପଲ୍ଲୀବାସୀ ଯେ କୌଣସି ଗୋଟିଏ ରୋଗଦ୍ୱାରା ଆକ୍ରାନ୍ତ କହନ୍ତି, ରୋଗ ଯନ୍ତ୍ରଣା ଯମ ଯନ୍ତ୍ରଣାଠାରୁ ବଳେ। ରାଜା, ପ୍ରଜା, ଧନୀ, ଦରିଦ୍ର, ଯେ ହୁଅନ୍ତି, ରୋଗ ଆଗରେ ସମସ୍ତେ ନତମସ୍ତକ; ରୋଗ ପାଖରେ ସମସ୍ତେ ସମାନ। ରୋଗ ମଧ୍ୟରେ କେହି ସାନ ବଡ଼ ନାହିଁ। ସବୁ ରୋଗର ଯନ୍ତ୍ରଣାଦାୟିକା ଶକ୍ତି ସମାନ। ସାମାନ୍ୟ କାଛୁ କୁଣ୍ଡିଆର ଯେପରି ପ୍ରତାପ, କୁଷ୍ଠ ପ୍ରଭୃତି ବଡ଼ ବଡ଼ ରୋଗର ସେହିପରି ପ୍ରତାପ। ଯେତେବେଳେ ଯେଉଁ ରୋଗ ଆସେ, ସେ ତା କ୍ଷମତା ପ୍ରତାପ ବିସ୍ତାର କରେ। ବାହ୍ୟ ଜଗତରେ ଦୋଷ ପାଇଁ ଦଣ୍ଡ ଖଞ୍ଜା ହୋଇ ରହିଛି; ଦଣ୍ଡବିଧି ଆଇନରେ ପ୍ରତ୍ୟେକ ଅପରାଧ ପାଇଁ ଦଣ୍ଡ ନିର୍ଦ୍ଦିଷ୍ଟ ଅଛି, ଅପରାଧ କଲେ ପୁଲିସ୍ ଧରି ନେବ, ମାଜିଷ୍ଟ୍ରେଟ୍ ସାହେବ ଦଣ୍ଡ ଦେବେ; ଶରୀର ଭିତର ସେହିପରି ଗୋଟିଏ ରାଜ୍ୟ, ପିଣ୍ଡ ବ୍ରାହ୍ମଣ୍ଡ ଏକା ବୋଲି କହନ୍ତି। ଶରୀର ଯନ୍ତ୍ର ଅନେକ ଗୁଡ଼ିଏ ନିୟମଦ୍ୱାରା ପରିଚାଳିତ। ସେହି ସବୁ ନିୟମ ଭଙ୍ଗ କଲେ ଅପରାଧ ହୁଏ। ସେହି ଅପରାଧ ଲାଗି ଦଣ୍ଡଭୋଗ କରିବାକୁ ହୁଏ। ରୋଗମାନେ ସେହି ଦଣ୍ଡର ପ୍ରତିମୂର୍ତ୍ତି। ଔଷଧ ହେଉଛି ରୋଗରୂପ ଦଣ୍ଡ ବିରୁଦ୍ଧରେ ଅପିଲ୍। କେଉଁଠି ଅପିଲ୍ କରି ଲୋକ ଦଣ୍ଡରୁ ମୁକ୍ତିଲାଭ କରେ, କେଉଁଠି ମଧ୍ୟ ତାହା ନାମଞ୍ଜୁର ହୋଇ ମୃତ୍ୟୁରେ ପରିଣତ ହୁଏ। କାଳ ପାଖେ ସମସ୍ତେ ପରାଜିତ; ଔଷଧ ମଧ୍ୟ ସେଠାରେ ପରାଜିତ। ଯେଉଁ ରୋଗ ନିୟତିସ୍ୱରୁପ ଆସେ, ତାର ଚିକିତ୍ସା ନାହିଁ, କି ଔଷଧ ନାହିଁ; ବ଼ଡ଼ ବଡ଼ ବିଶାରଦ ବୈଦ୍ୟ ଡ଼ାକ୍ତରମାନେ ସେଠାରେ ପରାଜିତ; ସକଳ ଚିକିତ୍ସା ସେଠାରେ ନିରର୍ଥକ; ରାଜଚକ୍ରବର୍ତ୍ତୀ ହୁଅନ୍ତୁ ବା ପର୍ଣ୍ଣକୁଟୀରବାସୀ ହେଉ, କାହାରି ନିସ୍ତାର ନାହିଁ। କି କି ଲକ୍ଷଣ ଦେଖାଗଲେ ରୋଗର ଆଉ ଉପଶମ ହେବ ନାହିଁ, ଏ କଥା ମଧ୍ୟ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଅଛି। ଏ ସବୁ ଲକ୍ଷଣକୁ ଅରିଷ୍ଟ ଲକ୍ଷଣ କହନ୍ତି। ଅରିଷ୍ଟ ଲକ୍ଷଣର ଅର୍ଥ ମୃତ୍ୟୁ ଲକ୍ଷଣ। ଆୟୁର୍ବେଦ ଶାସ୍ତ୍ରରେ ରୋଗର ନିଦାନ, ଔଷଧର ବ୍ୟବସ୍ଥା, ପଥ୍ୟାପଥ୍ୟର ବ୍ୟବସ୍ଥା, ଅରିଷ୍ଟ ଲକ୍ଷଣ ବର୍ଣ୍ଣୀତ ଅଛି। କଥା ଅଛି, ଦଶ ବୈଦ୍ୟ ସମୋ ପଥେଃ; ପଥ୍ୟରେ ରହିଲେ ଅନେକ ରୋଗ ଉପଶମ ହେବ।

ପଥି କଣ? ରୋଗୀର ବଳାବଳ ଅଗ୍ନି ଓ ବଳ ଦୃଷ୍ଟିରେ ଯେଉଁ ଖାଦ୍ୟ ଖାଇଲେ ସହଜର ପାକ ହୋଇ ଯିବ, ସେପରି ଖାଦ୍ୟ ଖାଇବା ଉଚିତ। ଏହାକୁ ପଥି କହନ୍ତି। ଶରୀର ମଧ୍ୟରେ ପାଚକାଗ୍ନି ଅଛି; ସେହି ଅଗ୍ନି ସକଳ ଖାଦ୍ୟ ପଦାର୍ଥକୁ ଜୀର୍ଣ୍ଣ କରେ। ଅପରିମିତ ଆହାର କଲେ, ସେ ଅଗ୍ନି ବିକୃତ ହୁଏ। ତେଣିକି ନାନା ରୋଗ ଜନ୍ମେ। ସବୁ ଲୋକ ସବୁ ଜିନିଷ ଖାଇ ହଜମ କରି ପାରିବେ ନାହିଁ। ଜିହ୍ୱା ଲାଳସାର ବଶବର୍ତ୍ତୀ ହୋଇ ଲୋକ ଯାହାତାହା ଖାଇ ଦିଏ; ଫଳରେ ଅଜୀର୍ଣ୍ଣହୁଏ। ଅଜୀର୍ଣ୍ଣ ଏକ ପ୍ରକାର ରୋଗ। ସାମାନ୍ୟ ସାମାନ୍ୟ ରୋଗ ମୁଷ୍ଟିଯୋଗଦ୍ୱାରା ଆରୋଗ୍ୟ ହୋଇଯାଏ। ମୁଷ୍ଟିଯୋଗନିର୍ଦ୍ଦିଷ୍ଟ ଔଷଧମାନ ସହଜପ୍ରାପ୍ୟ, କେବଳ ଚେରମୂଳଦ୍ୱାରା ପ୍ରସ୍ତୁତ। ଏଗୁଡ଼ିକ ସହଜଲଭ୍ୟ ଏବଂ ବିଶେଷ ଉପକାରୀ। ଆୟୁର୍ବେଦ ମତରେ ରୋଗ ହେବା ମାତ୍ରେ କୌଣସି ଔଷଧ ହେବାର ବ୍ୟବସ୍ଥା ନାହିଁ। ରୋଗ ମଧ୍ୟରେ ଜ୍ୱର ପ୍ରଧାନ; ଜ୍ୱର ରୋଗମାନଙ୍କ ମଧ୍ୟରେ ରାଜା। ଜ୍ୱର ହେବା ମାତ୍ରେ ଔଷଧ ଦେବାର ବ୍ୟବସ୍ଥା ନାହିଁ। ଜ୍ୱର ହେବା ମାତ୍ରେ ଲଙ୍ଘନ, ମଧ୍ୟରେ ପାଚନ ଓ ଶେଷରେ ବଟିକା। ଆଜିକାଲି ରୌଗୀର ସେତେ ଧୈର୍ଯ୍ୟ ନାହିଁ; ସେ ଚାହେଁ ଆଶୁ ପ୍ରତିକାର। ବୌଦ୍ୟଶାସ୍ତ୍ର ମତରେ ପ୍ରକୃତିର ଅନୁକୂଳ ଚିକିତ୍ସା କର୍ତ୍ତବ୍ୟ। ପ୍ରକୃତିବିରୁଦ୍ଧ ଚିକିତ୍ସା କଲେ ଏକ ରୋଗରୁ ନାନା ପ୍ରକାର ଉପସର୍ଗ ଜନ୍ମି ବିଭିନ୍ନ ରୋଗର ଉତ୍ପତ୍ତି କରାଏ, ସୁତରାଂ ଚିକିତ୍ସା ଟିକିଏ କାଳସାପେକ୍ଷ ହେଲେ ଭଲ ରସର ପରିପାକ ନ ହେଲେ ରୋଗର ଉପଶମ ହୁଏ ନାହିଁ। ଶରୀରରେ ରସସଞ୍ଚୟ ରୋଗର ମୂଳ କାରଣ; ରସାଂଶ କ୍ଷୟ ହେଲେ ରୋଗର ଉପଶମ ହୁଏ। ଦେହରୁ ରସାଂଶ ଉଣା କରାଇବା ଉଦ୍ଦେଶ୍ୟରେ ଏକାଦଶୀ ପ୍ରଭୃତି ଉପବାସର ବ୍ୟବସ୍ଥା ଅଛି। ମାସକେ ଥରେ ଦିଥର ଉପବାସ କଲେ ଦେହର ରସାଂଶ କମିଯାଏ।

ରସ କଅଣ? ବାତ, ପିତ୍ତ ଓ କଫର ବୈଷମ୍ୟ ହେଲେ ରସବୃଦ୍ଧି ହୋଇଛି ବୋଲି କୁହାଯାଏ। ଦୋଷବୈଷମ୍ୟରୁ ରୋଗ ହୁଏ ଓ ଦୋଷ ସାମ୍ୟରେ ଶରୀର ସୁସ୍ଥ ଥାଏ। ନାନା କାରଣରୁ ବୈଷମ୍ୟ ହୋଇଥାଏ। ସେସବୁ କାରଣ ବୈଦ୍ୟଶାସ୍ତ୍ର ପାଠ କଲେ ଜଣାଯାଏ। ସେସବୁ କାରଣ ଅନେକ। ବାୟୁର ପ୍ରଧାନ ଆଶ୍ରୟସ୍ଥଳ ପକ୍ୱାଶୟ ଓ ଗୃହ୍ୟନାଡ଼ୀ ପିତ୍ତର ପ୍ରଧାନ ଆଶ୍ରୟସ୍ଥଳ, ଯକୃତ ଓ ପ୍ଲୀହା ଏବଂ କଫର ପ୍ରଧାନ ଆଶ୍ରୟସ୍ଥଳ ଆମାଶୟ ଓ ହୃଦୟ। ଆହାର ବିହାର ବିଷୟରେ ସାବଧାନ ଥିଲେ ରୋଗ ଉତ୍ପନ୍ନ ହେବାର ବିଶେଷ ଆଶଙ୍କା ନ ଥାଏ। ଠିକ୍ ନିଦାନ ସ୍ଥିର କରି ଔଷଧ ବ୍ୟବସ୍ଥା ନ କଲେ ରୋଗସଙ୍କର ହୁଏ। ରୋଗସଙ୍କର ଅର୍ଥ ଏକ ରୋଗରୁ ଅନ୍ୟାନ୍ୟ ରୋଗର ଉତ୍ପତ୍ତି। ବୁଦ୍ଧିମାନ ବିଶାରଦ ବୈଦ୍ୟ ରୋଗାତ୍ପତ୍ତିର ହେତୁ ବୁଝି, ଲକ୍ଷଣମାନ ସ୍ଥିର କରି, ନାଡ଼ି ଦେଖି, ମଳ, ମୂତ୍ର, ଜିହ୍ୱାପ୍ରଭୃତି ପରୀକ୍ଷା କରି ଔଷଧ ବ୍ୟବସ୍ଥା କରନ୍ତି। ଚିକତ୍ସକ ହେବା ସହଜ କଥା ନୁହେଁ; ଆଜିକାଲି “ପେଟବିକଳରେ ମାଧିଆ ଯୋଗୀ” ପରି ଚିକିତ୍ସିକ ସଂଖ୍ୟା ଦେଶରେ ଛତୁ ପରି ଫୁଟିଉଠୁଛି, ସହରବଜାରରେ ଔଷଧାଳୟର ସଂଖ୍ୟା ବଢୁଛି। ଦେଖାଯାଏ, ଚିକିତ୍ସିକ ସଂଖ୍ୟା ଯେତେ ବୃଦ୍ଧି ପାଉଛି, ଦାୟିତ୍ୱଜ୍ଞାନ ସେତେ କମି ଯାଉଛି। ରୋଗୀର ଚିକିତ୍ସା ଯେ ଗୋଟିଏ ପ୍ରଧାନ ଧର୍ମ କାର୍ଯ୍ୟ, ଏ କଥା ଚିକିତ୍ସକମାନେ ବୁଝୁ ନାହାଁନ୍ତି।

ରୋଗ ମାନବର ପରମଶତ୍ରୁ; ରୋଗ ହେବାମାତ୍ରେ ତାକୁ ହେଳା କରିବ ନାହିଁ। ରୋଗ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବ। ସନ୍ଦର୍ଭଲେଖକ ଶ୍ରୀ ଜଗବନ୍ଧୁ ସିଂହ]

୩. (ଲକ୍ଷଣାର୍ଥ) ମନ୍ଦ ଅଭ୍ୟାସ —୩. A bad habit.